ବାରିପଦା, (ବାଘୁଆବାର୍ତ୍ତା): ଆହାର କେନ୍ଦ୍ରର ଟେଣ୍ଡର ପ୍ରଦାନ କରିବାକୁ ସ୍ବୟଂ ସହାୟିକା ଗୋଷ୍ଠୀଠାରୁ ଲାଞ୍ଚ ମାଗିବା ଅଭିଯୋଗରେ ବାରିପଦା ପୌରପାଳିକାର ଅଫିସର ଗିରଫ । ନିମ୍ନମାନର ଖାଦ୍ୟ ଯୋଗାଉଥିବା ଅଭିଯୋଗକୁ ରଫାଦଫା କରିବା ସହିତ ଚୁକ୍ତି ନବୀକରଣ କରିବାକୁ ୩ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବାର ଅଭିଯୋଗରେ ଭଞ୍ଜପୁର ଥାନା ପୋଲିସ ବୁଧବାର ଅପରାହ୍ନରେ ବାରିପଦା ପୌରପାଳିକାର ସିଟି ମ୍ୟାନେଜମେଣ୍ଟ ମିଶନ ୟୁନିଟ ଅଧିକାରୀ ମନୋରଞ୍ଜନ ପାଣିଗ୍ରାହୀଙ୍କୁ ଗିରଫ କରିଛି । ମା’ ସନ୍ତୋଷୀ ନାମକ ସ୍ବୟଂ ସହାୟିକା ଗୋଷ୍ଠୀ ବାରିପଦାର ବସଷ୍ଟାଣ୍ଡ ନିକଟସ୍ଥ ଆହାର କେନ୍ଦ୍ରରେ ଖାଦ୍ୟ ଯୋଗାଉଥିଲେ । ତେବେ ପ୍ରଦାନ ହେଉଥିବା ଖାଦ୍ୟ ନିମ୍ନମାନର ହୋଇଥିବାର ମା’ ସନ୍ତୋଷୀ ସ୍ବୟଂ ସହାୟିକା ଗୋଷ୍ଠୀକୁ ପୌରପାଳିକାର ଅଧିକାରୀ କହିଥିଲେ । ଏନେଇ ପୌରପାଳିକାର ନଗରପାଳ ଓ କନିଷ୍ଠ ଯନ୍ତ୍ରୀ ସ୍ୱାଇଁ ବାବୁଙ୍କ ନାମରେ ଲାଞ୍ଚ ମାଗି ପ୍ରଥମ ପର୍ୟ୍ୟାୟରେ ସେ ୩୪ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ପରବର୍ତ୍ତୀ ସମୟରେ ଖାଦ୍ୟ ଯୋଗାଇବା ପାଇଁ ଚୁକ୍ତି ନବୀକରଣ କରିବାକୁ ଅଧିକ ୩ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଅନ୍ୟଥା ଗ୍ରୁପକୁ କଳା ତାଲିକାଭୁକ୍ତ କରିବାକୁ ଧମକ ଦେଇଥିଲେ । ଏନେଇ ଏସ୍ଏଚଜି ଗ୍ରୁପ ପକ୍ଷରୁ ପୌରପାଳିକା କାର୍ୟ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନିକଟରେ ଅଭିଯୋଗ କରିଥିଲେ । ସେ ଉକ୍ତ ଅଭିଯୋଗ ବାବଦରେ ଭଞ୍ଜପୁର ଥାନାକୁ ଜଣାଇଥିଲେ । ଭଞ୍ଜପୁର ଥାନା ପୋଲିସ ଏହାକୁ ନେଇ କେଶ ନମ୍ବର ୨୫୯/୨୩ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛନ୍ତି ।





