ନିମାପଡ଼ା, (ବାଘୁଆବାର୍ତ୍ତା): ପୁରୀ ଜିଲ୍ଲା ସତ୍ୟବାଦୀରେ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ କାଳିମାଡ଼। ଘଟଣାରେ କାଳିମାଡ଼ କରିଥିବା ଯୁବକଙ୍କୁ ପୋଲିସ ଗିରଫ କରିଛି। ଯୁବକ ଜଣକ ହେଉଛନ୍ତି କଣାସର ଭାସ୍କର ସାହୁ। କେବଳ ୫ଟି ସଚିବ ନୁହେଁ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ମଧ୍ୟ କାଳିମାଡ଼ ହୋଇଛି। ଭାସ୍କର ସାହୁ ବିଜେପି ନେତା ବୋଲି ଜଣା ପଡିଛି । ଶନିବାର ଅପରାହ୍ଣ ପ୍ରାୟ ୨ଟା ୩୦ରେ ପୁରୀ ଜିଲ୍ଲା ସତ୍ୟବାଦୀ ୟୁଜିଏସ କଲେଜ ପରିସରରେ ଆୟୋଜିତ ସଭାରେ ଯୋଗ ଦେବା ବେଳେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଶନିବାର କାଳିମାଡ଼ ହୋଇଛି। କାଳିମାଡ଼ କରିଥିବା ବ୍ୟକ୍ତିଙ୍କୁ ପୁଲିସ ଉଠାଇ ନେଇଛି। କାଳିମାଡ଼ କରିଥିବା ବ୍ୟକ୍ତି କଣାସ ଅଞ୍ଚଳର ଭାସ୍କର ସାହୁ ବୋଲି ଜଣାଯାଇଛି।
ତେବେ ଯୁବକ ଜଣକ କାହିଁକି କାଳିମାଡ଼ କରିଛି ତାର କାରଣ ଜଣା ପଡ଼ିନି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଭି.କେ.ପାଣ୍ଡିଆନ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରି କାମର ସମୀକ୍ଷା କରୁଛନ୍ତି। ଏହି କ୍ରମରେ ୨ ଦିନିଆ ପୁରୀ ଗସ୍ତରେ ଯାଇଛନ୍ତି ପାଣ୍ଡିୟାନ। ଆଜି ହେଉଛି ଗସ୍ତର ଦ୍ଵିତୀୟ ଦିନ। ତେବେ ସତ୍ୟବାଦୀରେ ତାଙ୍କ ଉପରକୁ କାଳିମାଡ଼ ହୋଇଛି। ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଣ୍ଡିଆନ୍ଙ୍କ ଗସ୍ତକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି। କଳାପତାକା ଦେଖାଯିବା ସହିତ ଅଣ୍ଡାମାଡ଼ ହୋଇଛି। ଫଳରେ ତାଙ୍କ ଗସ୍ତ ବେଳେ ଉପରୋକ୍ତ ସ୍ଥାନୀୟ ଅଞ୍ଚଳରେ ଅଣ୍ଡା ଦୋକାନ ବନ୍ଦ କରାଯାଇଥିବାର ନଜିର ରହିଛି।





