ବ୍ରହ୍ମପୁର, (ବାଘୁଆବାର୍ତ୍ତା): ବଡ଼ ଧରଣର ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ । ଦୀର୍ଘ ଦିନରୁ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଓ ଲାଞ୍ଜିପଲ୍ଲୀ ଫାଣ୍ଡି ଅନ୍ତର୍ଗତ ଅଞ୍ଚଳରୁ ବାଇକ୍ ଓ ମୋବାଇଲ ଲଗାତାର ଲୁଟ୍ ହେଉଥିବା ଅଭିଯୋଗ ହୋଇଥିଲା । ପରେ ବ୍ରହ୍ମପୁର ଏସ.ପିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଶୁକ୍ରବାର ଚୋର ଗ୍ୟାଙ୍ଗକୁ ଧରିବାରେ ପୋଲିସ ସଫଳ ହୋଇଛି । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ତିନି ଜଣ ନାବାଳକ ଅଛନ୍ତି । ଗିରଫ ପରେ ସେମାନଙ୍କଠାରୁ ୧୩ଟି ବାଇକ୍ ଏବଂ ୫୮ଟି ମୋବାଇଲ ଫୋନ ଜବତ କରାଯାଇଛି । ପୂର୍ବରୁ ମଧ୍ୟ ଏହି ଚୋର ଗ୍ୟାଙ୍ଗ ନାଁରେ ବିଭିନ୍ନ ଥାନାରେ ଅନେକ ମାମଲାରେ ଥିବା ଜଣାପଡ଼ିଛି । ଏହି ଗ୍ୟାଙ୍ଗରେ ଆଉ କିଏ କିଏ ଅଛନ୍ତି ସେ ନେଇ ପୋଲିସ ତଦନ୍ତ କରୁଛି । ପ୍ରକୃତ ମାଲିକଙ୍କୁ ଚିହ୍ନଟ କରିବା ସହ କାଗଜପତ୍ର ଯାଞ୍ଚ କରାଯାଇ ଜବତ ବାଇକ୍ ଓ ମୋବାଇଲ ସେମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।





