ପୁରୀ, (ବାଘୁଆବାର୍ତ୍ତା): ବଡ଼ଦାଣ୍ଡ ପାଶ୍ୱର୍ରେ ଘଟିଥିବା ବୀଭତ୍ସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ନୃସିଂହନାଥ ମହାନ୍ତି(୩୨) ଓରଫ ପୋଡ଼ା ସୋନୁ ସହ ତାର ବଡ଼ଭାଇ କାଶୀନାଥ ମହାପାତ୍ର (୪୫)ଙ୍କୁ ଗିରଫ କରିଛି ପୁଲିସ । ଗୁରୁବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଜାମିନ୍ ନାମଞ୍ଜୁର ହେବାରୁ ଜେଲ୍ ପଠାଇ ଦିଆଯାଇଛି । କୁମ୍ଭାରପଡ଼ା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ହତ୍ୟାକାଣ୍ଡର କାରଣ ସମ୍ପର୍କରେ ସିଟି ଡିଏସ୍ପି ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ମୃତକ ପୁତୁରା ସଦର ଥାନା ଅଧୀନ ଛଇତନା ପଞ୍ଚାୟତ ଗଇଣ୍ଡୋଳ ଗ୍ରାମର ସୌମ୍ୟ ରଞ୍ଜନ ପ୍ରଧାନ ଓରଫ ଓମ୍ (୧୭)ଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ପୁଅର ମୃତ୍ୟୁ ଖବର ପାଇବା ପରେ ଡାକ୍ତରଖାନା ବେଡ୍ରେ ଥିବା ଆହତ ବାପାମା’ଙ୍କ ଅବସ୍ଥା ସଙ୍ଗିନ ହୋଇଛି । ସିଟି ଡିଏସ୍ପି ଶ୍ରୀ ସାହୁଙ୍କ ସୂଚନା ଅନୁସାରେ ଉପରମାଳିସାହିର ସୋନୁ ସେହି ସାହିର ନନ୍ଦିନୀଙ୍କୁ ପ୍ରେମ ବିବାହ କରିଥିଲା । ତେବେ ଦାମ୍ପତ୍ୟ କଳହ ଯୋଗୁ ପତ୍ନୀକୁ ଆକ୍ରମଣ କରି ଜେଲ୍ ଯାଇଥିଲା ସୋନୁ । ଜାମିନ୍ରେ ଫେରିବା ପରେ ନିଜ ଘରେ ପୁଅକୁ ନେଇ ରହୁଥିଲା ସୋନୁ । ବାପଘରେ ଶିଶୁ କନ୍ୟାକୁ ନେଇ ନନ୍ଦିନୀ ରହୁଥିଲେ । ନନ୍ଦିନୀଙ୍କ ସହ ତାଙ୍କ ଭଉଣୀ ଓ ଭିଣୋଇ ମୃତ ସୌମ୍ୟଙ୍କ ମା’ଗୀତାରାଣି ଦାସ ଓ ବାପା ସୁକାନ୍ତ ପ୍ରଧାନଙ୍କ ସୁ ସମ୍ପର୍କ ଥିବାରୁ ସୋନୁ ଏହାକୁ ସହି କରିପାରୁନଥିଲା । ବୁଧବାର ପୂର୍ବାହ୍ନରେ ନନ୍ଦିନୀଙ୍କ ଘରେ ଗୀତାରାଣି ଓ ତାଙ୍କ ପରିବାରକୁ ଦେଖି ସୋନୁ ହତ୍ୟା ଧମକ ଦେଇଥିଲେ । ଏନେଇ ଗୀତାରାଣି କୁମ୍ଭାରପଡ଼ା ଥାନାରେ ଏତଲା ଦେଇଥିଲେ । ହେଲେ ଏହି ଅଭିଯୋଗକୁ ନେଇ ମାମଲା ରୁଜୁ କରି ନଥିଲା ପୁଲିସ । ଗୀତାରାଣି ଓ ନନ୍ଦିନୀ ଏହି ଘଟଣା ନେଇ ସୋନୁ ସହ ଏକ ସମାଧାନ କରିବା ପାଇଁ ତା ଘରକୁ ଯାଇଥିବାବେଳେ ସୋନୁ ରକ୍ତମୁଖା ହୋଇଥିଲା । ପ୍ରଥମେ ପୁତୁରା ସୌମ୍ୟର ଗଳା କାଟିବା ପରେ ପତ୍ନୀ ନନ୍ଦିନୀ, ଶାଶୂ ଟିକିନା, ଦେଢ଼ଶାଶୂ ଗୀତାରାଣି ଓ ସଡୁ ସୁକାନ୍ତଙ୍କୁ ଗୋଡ଼ାଇ ହାଣିଥିଲା । ଆକ୍ରମଣ ସମୟରେ ତାକୁ ଭାଇ କାଶୀନାଥ ସହଯୋଗ କରିଥିବା ଅଭିଯୋଗ ହୋଇଥିଲା ବୋଲି ପୁଲିସ କହିଛି । ସମସ୍ତଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବାବେଳେ ସୌମ୍ୟଙ୍କୁ ଡାକ୍ତର ମୃତ ଘୋଷଣା କରି ଟିକିନା ଓ ସୁକାନ୍ତଙ୍କୁ ଏମ୍ସ ସ୍ଥାନାନ୍ତର କରିଥିଲେ । ଗୀତାରାଣି ଓ ନନ୍ଦିନୀଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଥିଲା । ଏନେଇ ସୌମ୍ୟଙ୍କ ମାମୁ ବିଶ୍ୱରଞ୍ଜନ ଦାସଙ୍କ ଏତଲା କ୍ରମେ ପୁଲିସ ହତ୍ୟା ମାମଲା (୧୭୧/୨୩) ରୁଜୁ କରିଥିଲା । କାଶୀନାଥକୁ ଡାକ୍ତରଖାନାରୁ କାବୁ କରାଯାଇଥିବାବେଳେ ସୋନୁକୁ ସମଙ୍ଗରାରୁ ଧରିଥିଲା ପୁଲିସ । ହତ୍ୟାରେ ବ୍ୟବହୃତ ରକ୍ତ ଭିଜା ଛୁରି ସହ କାତି, ଲୁହା ରଡ୍ ଓ ହାତୁଡ଼ି ଜବତ କରିଛି ପୁଲିସ । ସେପଟେ ଗୀତାରାଣିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା । ସୁକାନ୍ତଙ୍କ ପେଟରୁ ଅନ୍ତବୁଜୁଳା ବାହାରି ପଡ଼ିଥିବାବେଳେ ଏମ୍ସରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଏହାପରେ ଉଭୟ ପୁଅକୁ ଖୋଜିଥିଲେ । ସୌମ୍ୟଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ତାଙ୍କୁ ସ୍ୱର୍ଗଦ୍ୱାର ନିଆଯାଇଥିଲା । ଏହି ସମୟରେ ଗୀତାରାଣିଙ୍କୁ ପୁଅର ମୃତ୍ୟୁ ଖବର ଦିଆଯାଇଥିଲା । ଏହା ଶୁଣି ସେ ଚେତା ହରାଇଥିଲେ । ପରେ ମାନସିକ ଭାରସାମ୍ୟ ହରାଇ କଥା କହିପାରି ନଥିଲେ । ସେହିପରି ସୁକାନ୍ତ ମଧ୍ୟ ପୁଅ ମୃତ୍ୟୁ ଖବରକୁ ସହି ପାରି ନାହାନ୍ତି । ଉଭୟଙ୍କ ଅବସ୍ଥା ପୁଣି ସଙ୍ଗିନ ହୋଇଛି । ସେମାନଙ୍କ ଚିକିତ୍ସା ଜାରି ରହିଥିବା ପରିବାର ଲୋକେ କହିଛନ୍ତି । ବିଭିନ୍ନ ଥାନାରେ ପୋଡ଼ା ସୋନୁ ବିରୋଧରେ ବହୁ ମାମଲା ରହିଥିବା ପୁଲିସ କହିଛି । ଡକାୟତି ଯୋଜନା, ହଣାକଟା, ହତ୍ୟା ଉଦ୍ୟମ ଆଦି ନେଇ କୁମ୍ଭାରପଡ଼ା ଥାନାରେ ପୂର୍ବରୁ ୫ଟି ମାମଲାରେ ସେ ଜଡ଼ିତ ଥିବା ସିଟି ଡିଏସ୍ପି କହିଛନ୍ତି । ୧୨ ବର୍ଷର ପୁଅ ଶୁଭଙ୍କର ମହାନ୍ତିକୁ ପାଖରେ ରଖିଥିଲା ପୋଡ଼ା ସୋନୁ । ଅପରାଧ ଜୀବନ ବିତାଇବା ମଧ୍ୟରେ ହୋଡିଂ କାମ କରି ମଧ୍ୟ ପେଟ ପୋଷୁଥିଲା । ହତ୍ୟାକାଣ୍ଡ ପରେ ସେ ଫେରାର୍ ହୋଇଯାଇଥିଲା । ୪ ଘଣ୍ଟା ମଧ୍ୟରେ ତାକୁ ଗିରଫ କରାଯାଇଥିଲା । ପୁଅ ଶୁଭଙ୍କର ଆହତ ମା’ ନନ୍ଦିନୀ ପାଖକୁ ପଳାଇଥିଲା । ପୁଅ ତାକୁ ଝୁରୁଥିବ ବୋଲି କହି କୋର୍ଟ ଚାଲାଣ ସମୟରେ ଡାକ୍ତରଖାନାରେ କାନ୍ଦିଥିଲା ପୋଡ଼ା ସୋନୁ । ଗୋଟିଏ ପଟେ ସୌମ୍ୟ ଜୀବନ ନେଇ ୨ ବାପାମାଆଙ୍କ ଆଖିରେ ଲୁହ ଦେଇଥିବା ପୋଡ଼ା ସୋନୁ ନିଜ ପୁଅ କଥା ଭାବି କାନ୍ଦିବା ଘଟଣାକୁ ନେଇ ଡାକ୍ତରଖାନାରେ ଆଲୋଚନା ଯୋର୍ ଧରିଥିଲା । ପ୍ରାୟ ୧୦ ବର୍ଷ ତଳେ ବହୁ ଅପରାଧରେ ସମ୍ପୃକ୍ତ ଗିଲ୍ଟି କାଳୁ ସହ ଶତ୍ରୁତା ରଚିଥିଲା ପୋଡ଼ା ସୋନୁ । ଗିଲ୍ଟି କାଳୁର ଭାଇ ସୁଶାକୁ ହାଣି ଅବସ୍ଥା ସଙ୍ଗିନ କରିଥିଲା । ଏନେଇ ପୋଡ଼ା ସୋନୁ ବିରୋଧରେ ମାମଲା ରୁଜୁ ହୋଇଥିଲା । ସୁଶା ସୁସ୍ଥ ହେବା ପରେ ପୋଡ଼ା ସୋନୁର ମୁଣ୍ଡ ଗଡ଼ାଇବାକୁ ମୌକା ଖୋଜୁଥିଲା ଗିଲ୍ଟି କାଳୁ । ତେଣୁ ବାରମ୍ବାର ସହରରେ ଆତଙ୍କ ରଚିଥିଲେ ଦୁଇ ଗୋଷ୍ଠୀ । ଯାହା ପୁଲିସର ମୁଣ୍ଡ ବିନ୍ଧା ବଢ଼ାଇଥିଲା । ପ୍ରତିଶୋଧ ନେବାକୁ ମୌକା ନପାଇ ପୋଡ଼ା ସୋନୁର ଭାଇ କୁନାକୁ ୨୦୧୭ ମସିହାରେ ହାଣିଥିଲା ଗିଲ୍ଟି କାଳୁ । ଏନେଇ ଗିଲ୍ଟି କାଳୁ ବିରୋଧରେ ବି ମାମଲା ରୁଜୁ ହୋଇଥିଲା । କିନ୍ତୁ ପରେ ପୋଡ଼ା ସୋନୁ ବିରୋଧରେ ଥିବା ମାମଲାକୁ ସମାଧାନ କରିଥିଲା ଗିଲ୍ଟି କାଳୁ । କିନ୍ତୁ ଗିଲ୍ଟି କାଳୁ ବିରୋଧରେ ଥିବା ମାମଲାକୁ ସମାଧାନ କରିନଥିଲା ପୋଡ଼ା ସୋନୁ । ଫଳରେ ପୁଣି ବିବାଦ ମୁଣ୍ଡ ଟେକିଥିଲା ।





