ନୟାଗଡ଼, (ବାଘୁଆବାର୍ତ୍ତା): ଦଶପଲ୍ଲା ବିଡିଓଙ୍କୁ ଆକ୍ରମଣ ଘଟଣାରେ ଆଜି ଓଡ଼ିଶା ପ୍ରଶାସନିକ ସେବା ସଂଘ ନୟାଗଡ଼ ଶାଖାର ଜରୁରୀ କାଳୀନ ବୈଠକ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଦଶପଲ୍ଲା ପୂର୍ବତନ ବିଡିଓ ଦେବୀ ପ୍ରସାଦ ମହାନ୍ତିଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରାଯାଇଥିବା ବେଳେ ୫ ଦଫା ଦାବିପତ୍ର ଜିଲ୍ଲାପାଳ ଓ ଏସ୍ପିଙ୍କୁ ପ୍ରଦାନ କରାଯାଇଛି । ଓଏଏସ୍ ସଂଘର ନିଷ୍ପତ୍ତି ଅନୁଯାୟୀ ଅଭିଯୁକ୍ତଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କରିବା ନେଇ ଦାବି କରାଯାଇଛି । ପତୀକାତ୍ମକ ଭାବେ ଜିଲ୍ଲାର ସମସ୍ତ ଓଏଏସ୍ ଅଧିକାରୀ ଆସନ୍ତାକାଲିଠାରୁ ଦୁଇଦିନ କଳାବ୍ୟାଚ ପରିଧାନ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି । ଗୁରୁବାର ସଂନ୍ଧ୍ୟା ସୁଦ୍ଧା ଅଭିଯୁକ୍ତମାନେ ଗିରଫ ନହେଲେ ଶୁକ୍ରବାରଠାରୁ କଲମ ଛାଡ଼ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଦଶପଲ୍ଲା ଥାନା ଅଧିକାରୀ ଅଭିଯୁକ୍ତଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଇବା ଘଟଣାକୁ ନିନ୍ଦା କରାଯାଇଥିବା ବେଳେ କୋହଳ ଦଫା ଲଗାଇଛନ୍ତି । ଯାହାକୁ ନେଇ ଏହି ଘଟଣାର ତଦନ୍ତ ଭାର ଜଣେ ଡିଏସ୍ପି ପାହ୍ୟା ଅଧିକାରୀଙ୍କୁ ଦେବା ପାଇଁ ଦାବି କରାଯାଇଛି । ଏହି ବୈଠକରେ ଜିଲ୍ଲାର ସମସ୍ତ ତହସିଲଦାର୍ ଏବଂ ବିଡିଙ୍କ ଯୋଗ ଦେଇଥିବା ଜଣାଯାଇଛି ।





