ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଆହାର କେନ୍ଦ୍ରକୁ ପୂରିଲା ୫୦ ମାସ । ୨୦୧୬ ଅପ୍ରେଲ ୧୫ ତାରିଖରେ ଆରମ୍ଭ ହୋଇଥିବା ନୟାଗଡ଼ ଆହାର କେନ୍ଦ୍ରରେ ବହୁ ଗରୀବ, ଅଭାବୀ ଲୋକଙ୍କୁ ୫ ଟଙ୍କା ମୁଲ୍ୟରେ ଖାଦ୍ୟ ଯୋଗାଇ ଦିଆଯାଇଛି । ଏହି ୫୦ ମାସ ମଧ୍ୟରେ ମୋଟ ୧୩ ଲକ୍ଷ ୫୦ ହଜାରୁ ଉର୍ଦ୍ଧ୍ୱ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଥିବା ନେଇ ଏହାକୁ ପରିଚାଳନା କରୁଥିବା ନୟାଗଡ଼ ରୋଟାରୀ କ୍ଲବର ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ରୋଟାର କ୍ଲବ ମୁଖ୍ୟ ସଂଯୋଜକ ପ୍ରମୋଦ ପଟ୍ଟନାୟକ, ସଭାପତି ମଦନ ମୋହନ ମହାପାତ୍ର, ସଂପାଦକ ପ୍ରବୀର ପୃଷ୍ଟି ଏହି ସୂଚନା ପ୍ରଦାନ କରିଛନ୍ତି । ଜିଲ୍ଲାରେ ୫ଟି ଆହାର କେନ୍ଦ୍ର ରହିଛି । ସେଥିମଧ୍ୟରେ ନୟାଗଡ଼ ଓ ଓଡ଼ଗାଁ ଆହାର କେନ୍ଦ୍ରରେ ସକାଳ ଓ ରାତ୍ରି ଦିନକୁ ଦୁଇ ଥର ଖାଦ୍ୟ ପ୍ରଦାନ କରାଯାଉଥିବା ବେଳେ ଖଣ୍ଡପଡ଼ା, ଦଶପଲ୍ଲା ଏବଂ ରଣପୁରରେ କେବଳ ସକାଳ ସମୟରେ ଖାଦ୍ୟ ପ୍ରଦାନ କରାଯାଉଛି । ଏହି ପାଂଚଟି ଆହାର କେନ୍ଦ୍ରକୁ ନୟାଗଡ଼ ଆହାର କେନ୍ଦ୍ରରେ ଖାଦୂ ରୋଷେଇ କରି ପ୍ରଦାନ କରାଯାଉଥିବା ବେଳେ ଦୈନିକ ୨୨ ଶହ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ସରକାର ଏଥିପାଇଁ ୧୮ ଟଙ୍କା ପ୍ରଦାନ କରୁଥିବା ବେଳେ ଉପଭୋକ୍ତା ୫ ଟଙ୍କା ଦେଇ ଆହାର ପାଇ ପାରୁଥିବା ରୋଟାରୀ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷେ, ନୟାଗଡ଼ ଆହାର କେନ୍ଦ୍ରରେ ଭାତ, ଡାଲମା ସାଙ୍ଗକୁ ଉପଭୋକ୍ତାଙ୍କୁ ଆଚାର ଓ ପାମ୍ପଡ଼ ଦିଆଯାଉଥିବା ଜଣାଯାଇଛି । ଜିଲ୍ଲା ପ୍ରଶାସନ ଯେଉଁ ଭରସାରେ ରୋଟାରୀକୁ ଏହି ଦାୟିତ୍ୱ ଦେଇଛି, ତାକୁ ଆମେ ସୂଚାରୁ ଋପେ ପାଳନ କରିଛୁ ବୋଲି ମୁଖ୍ୟ ସଂଯୋଜକ ପ୍ରମୋଦ ପଟ୍ଟନାୟକ କହିଛନ୍ତି । ଅସହାୟ ଏବଂ ଗରୀବ ଲୋକଙ୍କ ପାଇଁ ରୋଟାରୀ ସବୁବେଳେ କାର୍ଯ୍ୟ କରି ଆସିଛି ଏବଂ ଆଗାମୀ ଦିନରେ କାର୍ଯ୍ୟ କରିବ ବୋଲି ସଭାପତି ମଦନ ମୋହନ ମହାପାତ୍ର କହିଛନ୍ତି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରୋଟାରୀଆନ୍ ରଣଜିତ୍ ଦାଶ, ଶ୍ରୀକାନ୍ତ ଖଟେଇ, ନିରୂପମା ପଟ୍ଟନାୟକ, ଧିରେନ୍ଦ୍ର ପଟ୍ଟନାୟକ, ଆରିଫ ଖାଁ ପ୍ରମୂଖ ଉପସ୍ଥିତ ରହିଥିଲେ । ଏଥିସହିତ ରୋଟାରୀ ପକ୍ଷରୁ ଆହାର କେନ୍ଦ୍ର ପରିସରରେ ରୋଗୀଙ୍କ ଉଦ୍ଦେଶ୍ୟରେ ଗରମ ପାଣି ବ୍ୟବସ୍ଥା କରାଯିବା ସହ ପ୍ରତ୍ୟେକ ବର୍ଷ କମ୍ବଳ ବଣ୍ଟନ କରାଯାଉଥିବା ନେଇ ସୂଚନା ଦିଆଯାଇଛି ।





