ବାଲେଶ୍ଵର, (ବାଘୁଆବାର୍ତ୍ତା): ବହୁ ଚର୍ଚ୍ଚିତ ଓଏସଏସସି ଜେଇ ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାର ପର୍ଦ୍ଦାଫାଶ ହୋଇଛି। ପ୍ରିଣ୍ଟିଂ ପ୍ରେସରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସୂଚନା ଦେଇଛନ୍ତି ବାଲେଶ୍ଵର ଏସପି ସାଗରିକା ନାଥ। ପ୍ରିଣ୍ଟିଂ ପ୍ରେସର ଜଣେ ହେଲ୍ପର ଏହି ପ୍ରଶ୍ନପତ୍ର ଲିକ୍ କରିଥିଲେ। ପ୍ରେସର ପ୍ରଶ୍ନପତ୍ର ଆଣି ସେ ମାଷ୍ଟରମାଇଣ୍ଡକୁ ଦେଇଥିଲେ। ମାଷ୍ଟର ମାଇଣ୍ଡ ବିହାରର ଜଣେ ସରକାରୀ ଅଧିକାରୀ ବୋଲି ଏସପି ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି ସଂପୃକ୍ତ ପ୍ରିଣ୍ଟିଂ ପ୍ରେସଟି ଓଡ଼ିଶା ବାହାରେ। ଲିକ୍ କରିଥିବା ହେଲପର ଓ ମାଷ୍ଟର ମାଇଣ୍ଡ ଗୋଟିଏ ଗାଁର ବୋଲି ତଦନ୍ତରୁ ଜଣା ପଡ଼ିଛି। ୯ରୁ ୧୧ ତାରିଖ ମଧ୍ୟରେ ପ୍ରଶ୍ନପତ୍ର ପ୍ରେସରୁ ଆଣିଥିଲା ହେଲ୍ପର। ପ୍ରେସ୍ରୁ ପ୍ରଶ୍ନପତ୍ର ଲୁଚାଇ ଆଣି ମାଷ୍ଟର ମାଇଣ୍ଡକୁ ଦେଇଥିଲା।
ଓଡ଼ିଶାରୁ ଗିରଫ ଲୋକ କେବଳ ମଧ୍ୟସ୍ଥ କାମ କରୁଥିଲେ। ଓଡ଼ିଶାରୁ କୌଣସି ସରକାରୀ ଅଧିକାରୀଙ୍କ ସଂପୃକ୍ତି ଜଣା ପଡ଼ିନି। ଏ ଯାଏ ୧୭ ଜଣ ଗିରଫ ହୋଇଛନ୍ତି। ତଦନ୍ତ ଚାଲିଛି, ଆଗକୁ ସଂଖ୍ୟା ବଢିପାରେ ବୋଲି ଏସପି କହିଛନ୍ତି। କିଛି ଦିନ ତଳେ OSSC ଜେଇ ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ଯାହାଫଳରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଏହାପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୂର୍ବରୁ ଏହି ପ୍ରଶ୍ନପତ୍ର ଲିକ୍ ମାମଲାରେ ୯ ଜଣଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଥିଲା । ଆଉ ଏବେ ଏହି ଘଟଣାରେ ମାଷ୍ଟରମାଇଣ୍ଡଙ୍କୁ ଗିରଫ କରିଛି ପୋଲିସ । ରାଜ୍ୟ ବାହାରେ ମୁଖ୍ୟ ଅଭିଯୁକ୍ତ ଜଣଙ୍କୁ ଲୁଚିଥିବା ବେଳେ ତଦନ୍ତକାରୀ ଟିମ୍ ଏସଂପର୍କରେ ସୂଚନା ପାଇଥିଲା । ପରେ ରାଜ୍ୟ ବାହାରକୁ ଯାଇ ମୁଖ୍ୟ ଅଭିଯୁକ୍ତ ଗିରଫ କରିଛି । ଏହାସହିତ ମାଷ୍ଟରମାଇଣ୍ଡ ସମେତ ଅନ୍ୟ କିଛି ଲୋକଙ୍କୁ ରାଜ୍ୟ ବାହାରୁ ମଧ୍ୟ ଗିରଫ କରିଛି ।





