ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ବଧିସାହି ଗ୍ରାମରେ ବଧୁହତ୍ୟା ଘଟିଛି । ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପିତା ଅଭିଯୋଗ ଆଣିଛନ୍ତି । ମୃତକ ଜଣଙ୍କ ମୋନାଲିସା ସ୍ୱାଇଁ । ମୋନାଲିସା ସ୍ୱାଇଁ ୩ ବର୍ଷ ତଳେ ବଧିସାହି ଗ୍ରାମର ସୁବାସ ପ୍ରଧାନଙ୍କ ଏକ ମାତ୍ର ପୁଅ ତପନ ପ୍ରଧାନଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ତାଙ୍କର ଏକ ବର୍ଷ ଶିଶୁ ପୁତ୍ର ରହିଛି । କିଛିଦିନ ପୂର୍ବରୁ ଉଭୟ ଦମ୍ପତିଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ବଚସା ଲାଗି ରହିଥିଲା । ଆଜି ସକାଳୁ ତପନ ପ୍ରଧାନ ଶଶୁରଙ୍କୁ ଫୋନ ଯୋଗେ ତାଙ୍କ ଝିଅ କବାଟ ଦେଇ ରୁମ ଭିତରେ ଥିବା ଏବଂ କବାଟ ଖୋଲୁନଥିବା କଥା ଜଣାଇଥିଲେ । ଫୋନରେ ତପନର ଏଭଳି କଥା ଶୁଣି ଝିଅଙ୍କ ବାପା ଭିକାରି ସ୍ୱାଇଁ ତୁରନ୍ତ ଝିଅର ଶାଶୁ ଘରେ ପହଁଚିଥିଲେ । ଭିକାରି ବଧିସାହିରେ ପହଁଚିବା ପରେ ଘରର କବାଟ ଖୋଲାଥିବା ଓ ତାଙ୍କ ଝିଅ ଖଟ ଉପରେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ । ଘରେ ସମସ୍ତଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ କାହାରିକୁ ପାଇନଥିଲେ । ଭିକାରି ତୁରନ୍ତ ଆସି ଶରଣକୁଳ ଥାନାରେ ଝିଅକୁ ମାରି ଦିଆଯାଇଥିବା ଅଭିଯୋଗ କରିବା ପରେ ଶରଣକୁଳ ଥାନା ଅଧିକାରିଣୀ ପୁଷ୍ପଲତା ବେହେରା ଏସଡିପିଓ କିରଣ ହେମ୍ରମ୍, ଓଡଗାଁ ତହସିଲଦାର ଅନୀଲ ଆଚାର୍ୟ୍ୟ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଥିବା ଜଣାଯାଇଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ଖବର ଲେଖିବା ପର୍ଯ୍ୟନ୍ତ ଶରଣକୁଳ ପୁଲିସ କାହାରିକୁ ଗିରଫ କରି ନଥିବା ଜଣାପଡିଛି ।





