ପୁରୀ, (ବାଘୁଆବାର୍ତ୍ତା): ବ୍ୟବସାୟୀ ସୋମନାଥ ସାହୁ ଓରଫ କପଙ୍କୁ ଗୁଳିମାଡ । ରେଡକ୍ରସ ରୋଡ ପାଣି ଗୋଦାମ ନିକଟରେ ବୋମାମାଡ ହୋଇଥିବା ଅଭିଯୋଗ । ତେବେ ଗୁଳିମାଡ ହୋଇଛି କି ଆକ୍ରମଣ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଆଜି ଅପରାହ୍ନରେ ୪ ଜଣ ସୋମନାଥଙ୍କ ଗୋଦାମ ନିକଟକୁ ଆସିଥିଲେ। ଦୁଇ ଜଣ ଦୁର୍ବୃତ୍ତ ବାହାରେ ଥିବାବେଳେ ଆଉ ଦୁଇ ଜଣ ଦୁର୍ବୃତ୍ତ ଭିତରକୁ ପଶି ଏଭଳି କାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କପଙ୍କ ମୁଣ୍ଡରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା। ତୁରନ୍ତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଓ ପରିବାର ଲୋକେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ଓଟିରେ ଭର୍ତ୍ତି କରାଇଥିଲେ। ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୀରୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଖବର ପ୍ରଚାର ହେବା ପରେ ହସ୍ପିଟାଲରେ ଶତାଧିକ ଲୋକେ ଏକତ୍ରିତ ହୋଇଥିଲେ। ଖବର ପାଇଁ କୁମ୍ଭାରପଡ଼ା ଥାନା ପୋଲିସ,ଅତିରିକ୍ତ ଏସପିଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଗୋଦାମରେ ବନ୍ଧୁକ ପଡ଼ିଥିବା ସୂଚନା ପାଇ ପୋଲିସ ଛାନଭିନ କରୁଛି। ଅତିରିକ୍ତ ଏସପି ସୁଶୀଲ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଗୁଳିକାଣ୍ଡ ହୋଇଛି କି ନାହିଁ ତାର ତଦନ୍ତ ଚାଲିଛି। ପ୍ରତ୍ୟକ୍ଷଦର୍ଶୀ ଓ ପଡୋଶୀଙ୍କୁ ପଚରାଉଚୁରା କରାଯାଉଛି। ସିସିଟିଭି ଫୁଟେଜ ଯାଞ୍ଚ କରାଯିବ । ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।ପୂର୍ବ ଶତ୍ରୁତାରୁ ଦୁର୍ବୃତ୍ତ ବନ୍ଧୁକ ନେଇ ଭୟଭୀତ କରିବା ସହ କାଠ ଫାଳିଆ ଓ ଚେୟାରରେ ଆକ୍ରମଣ କରିଥିବା ଜଣାପଡିଛି।





