ଖଣ୍ଡା, ଦେଶୀ ବନ୍ଧୁକ, ବାଇକ ଜବତ
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ସାଲୁଣି ଗ୍ରାମର ଜୈନିକ ବ୍ୟକ୍ତିଙ୍କୁ ହତ୍ୟା ଧମକ ଦେଇ ଗୁଣ୍ଡାଗିରି ଘଟଣାରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ନାଟୁଗାଁର ଆଲୋକ ପରିଡ଼ା, ପ୍ରଫୁଲ ଓରଫ ଦିବା ସାହୁ, ଭାଗିରଥି ପ୍ରଧାନ, ରାଜେଶ ନାୟକ । ଗତକାଲି ଅଭିଯୁକ୍ତମାନେ ଦୁଇଟି ବାଇକ ଯୋଗେ ସାଲୁଣୀ ଗ୍ରାମକୁ ଯାଇ ପ୍ରତାପ ଚନ୍ଦ୍ର ବେହେରାଙ୍କୁ ହତ୍ୟା ଧମକ ଦେବା ସହ ୫୦ ହଜାର ଟଙ୍କା ମାଗିଥିଲେ । ଟଙ୍କା ଦେବା ପାଇଁ ସେ ମନା କରିବାକୁ ତାଙ୍କ ଦୁଆରେ ଫାଙ୍କା ଗୁଳି ଚାଳଣା କରିଥିଲେ ।
ବନ୍ଧୁକ ଗୁଳି ମାରି ଦୁଆରେ ରଖାଯାଇଥିବା କାର ଟାୟାର ପମ୍ପଚର କରି ଦେଇଥିଲେ । ଲାଠି ଓ ଖଣ୍ଡା ସାହାର୍ଯ୍ୟରେ କାର କାଚ ଭାଙ୍ଗି ଦେଇଥିଲେ । ଗାଁ ମଝିରେ ଗୁଣ୍ଡାଗିରି କରି ସାଧାରଣ ଲୋକଙ୍କୁ ଭୟଭୀତ କରିଥିଲେ । ଏନେଇ ପ୍ରତାପ ଇଟାମାଟି ଥାନାରେ ଅଭିଯୋଗ କରିବା ପରେ ପୁଲିସ ତତ୍କ୍ଷଣାତ ପଦକ୍ଷେପ ଗ୍ରହଣ କରିଛି । ପୁଲିସ ଏକ ମାମଲା ରୁଜୁ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଦେଶୀ ବନ୍ଧୁକ, ୨ଟି ବାଇକ, ଗୋଟିଏ ଖଣ୍ଡା, ଲାଠି ଜବତ କରିଛି । ଏନେଇ ନୟାଗଡ଼ ଏସଡିପିଓ ସ୍ନେହାଶିଷ ସାହୁ ସୂଚନା ଦେଇଛନ୍ତି ।





