ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ମେଲାଇ ଚାଲିଥିବା ବେଳେ ଏବେ ପୁଣି ଜଣେ ବାହ୍ୟ ଆକ୍ରାନ୍ତଙ୍କୁ ନେଇ ଚିନ୍ତା ବଢ଼ିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗ୍ରାମର ଜଣେ ୫୫ ବର୍ଷିୟ ବ୍ୟକ୍ତି ଭୂବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ଆଜି ତାଙ୍କଠାରେ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ଏହାକୁ ନେଇ ଅଂଚଳରେ ଚିନ୍ତା ସୃଷ୍ଟି ହୋଇଥିବା ବେଳେ ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ବହୁ ଲୋକ ଆସିଥିବା ଜଣାଯାଇଛି । ଫଳରେ ରାଜ ସୁନାଖଳା ସରପଂଚ ସସ୍ମିତା ସାହୁ ପଂଚାୟତର କୋଟଗଡ଼, ରାଜସୁନାଖଳା, ରମ୍ଭାବିଲ, ନୃସିଂହପୁର, ଟାଙ୍ଗିସାହି ଗ୍ରାମ ଗୁଡ଼ିକ ସହିତ ରାଜସୁନାଖଳା ଦୁର୍ଗାବଜାରକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି । ୧୨ ତାରିଖ ରାତି ୧୨ଟାଠାରୁ ୧୬ ତାରିଖ ରାତି ୧୨ ଘଣ୍ଟିକା ପର୍ଯ୍ୟନ୍ତ ୯୬ ଘଣ୍ଟା ସଟ୍ଡାଉନ୍ ଘୋଷଣା କରିଛନ୍ତି । ଜିଲ୍ଲାରେ ବାହ୍ୟ ସଂକ୍ରମଣ ବଢ଼ିବା ସହ ଏବେ ଚିନ୍ତା ଜନକ ସ୍ଥିତି ସୃଷ୍ଟି ହୋଇଛି । ଏନେଇ ସରପଂଚ ଜିଲ୍ଲାପାଳ ଡ. ପୋମା ଟୁଡୁ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ରଣପୁର ତହସିଲଦାର, ଥାନା ଅଧିକାରୀ ଏବଂ ବିଡିଓଙ୍କୁ ଅବଗତ କରିଛନ୍ତି । ଏହି ସମୟ ମଧ୍ୟରେ ପୁଲିସ ସୁରକ୍ଷା ଏବଂ ସହଯୋଗ କାମନା କରିଛନ୍ତି । ଏଥିସହିତ ରାଜସୁନାଖଳା ଅଂଚଳର ଲୋକମାନଙ୍କୁ ଏହି ୯୬ ଘଣ୍ଟା ମଧ୍ୟରେ ବାହାରକୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷେ, ଜିଲ୍ଲାରେ ପୂର୍ବର ୧୦୪ ଆକ୍ରାନ୍ତଙ୍କ ସହ ଆଜି ଚିହ୍ନଟ ହୋଇଥିବା ଛଅ ଆକ୍ରାନ୍ତ ଏବଂ ଏହି ବାହ୍ୟ ଆକ୍ରାନ୍ତଙ୍କୁ ମିଶାଇ ସଂଖ୍ୟା ୧୧୧ ବୋଲି ଜଣାଯାଇଛି ।





