ଢେଙ୍କାନାଳ, (ବାଘୁଆବାର୍ତ୍ତା): ଶେଷରେ ଲାଞ୍ଚୁଆ ଥାନା ବାବୁ ହେଲେ ଦୋଷୀ ସାବ୍ୟସ୍ତ । ଆଉ ଏଥିପାଇଁ ତାଙ୍କୁ ମିଳିଛି ୪ ବର୍ଷ ଜେଲ୍ ଦଣ୍ଡାଦେଶ ଓ ୨୦ ହଜାର ଟଙ୍କା ଦେବାକୁ ପଡିବ ଜରିମାନା । ଏହି ପୋଲିସ ବାବୁ ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନାର ପୂର୍ବତନ ଥାନା ଅଧିକାରୀ ଇନ୍ସପେକ୍ଟର ଚିତ୍ତରଞ୍ଜନ ବେହେରା । ଖାଲି ସେତିକି ନୁହଁ । ଏହି ଲାଞ୍ଚ ନେବା ଘଟଣାରେ ଚିତ୍ତରଞ୍ଜନଙ୍କୁ ସହଯୋଗ କରିଥିବା ତାଙ୍କ ବ୍ୟକ୍ତିଗତ ଡ୍ରାଇଭର ପ୍ରକାଶ ମହାଳିକ ଓ ଜଣେ ସ୍ଥାନୀୟ ଲଣ୍ଡ୍ରି ଦୋକାନୀ ଲକ୍ଷ୍ମଣ ସେଠୀଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇ ୪ ବର୍ଷ ଜେଲ ଦଣ୍ଡାଦେଶ ମିଳିଛି । ଏକ ନାରୀ ନିର୍ୟ୍ୟାତନା ମାମଲାରେ ଅଭିଯୁକ୍ତଙ୍କର ୩୦୭ ଦଫା କାଟିବାକୁ ଏହି ଲାଞ୍ଚୁଆ ପୋଲିସ ବାବୁ ଚିତ୍ତରଞ୍ଜନ ବେହେରା ୬ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ଗତ ୨୦୨୧ ମସିହା ଫେବୃଆରୀ ୨୬ ତାରିଖରେ ଏହି ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଲାଞ୍ଚ ଟଙ୍କା ସହିତ ଢେଙ୍କାନାଳ ନିହଲ ପ୍ରସାଦ ଥାନାର ପ୍ରାକ୍ତନ ଏହି ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଓ ଲାଞ୍ଚ ନେବାରେ ସହଯୋଗ କରିଥିବା ପ୍ରକାଶ ମହାଳିକ ଓ ଲକ୍ଷ୍ମଣ ସେଠୀଙ୍କୁ କାବୁ କରି ଗିରଫ କରିଥିଲା । ଏହି ମାମଲାର ବିଚାର କରି ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ବୁଧବାର ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି ।





