ଟାଙ୍ଗୀ, (ବାଘୁଆବାର୍ତ୍ତା): ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ। ଗୁରୁବାର ସକାଳୁ ଟାଙ୍ଗୀ ଥାନା ଅଧିନସ୍ଥ ରତ୍ନମାଳୀ ସାହିର ଶଙ୍ଖାସିନ୍ଦୁର ପୋଖରୀରେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ମୃତ ଯୁବକ ଜଣଙ୍କ ହେଉଛନ୍ତି ଅମରଜିତ୍ ପଟ୍ଟନାୟକ (୨୮ ବର୍ଷ)। ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଟାଙ୍ଗୀ ଥାନା ଅଧିନସ୍ଥ ରତ୍ନମାଳୀ ସାହିର ଶଙ୍ଖାସିନ୍ଦୁର ପୋଖରୀରେ ଆଜି ସକାଳେ ରତ୍ନମାଳୀ ସାହିର ଅମରଜିତଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଅମରଜିତଙ୍କ ପିତା ତାରାକାନ୍ତ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଯୁବକ ଜଣଙ୍କ ଗତକାଲି ଠାରୁ ନିଖୋଜ ଥିବା ବେଳେ ଘରେ ସମସ୍ତ ସୁବିଧା ଥାଇ ସେ ପୋଖରୀକୁ କାହିଁକି ଆସିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୃତ୍ୟୁର କାରଣ ଜଣା ପଡିନାହିଁ। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।





