କଟକ, (ବାଘୁଆବାର୍ତ୍ତା): କଟକ ଦୋଳମୁଣ୍ଡାଇରୁ ବଜ୍ରକବାଟିକୁ ସଂଯୋଗ କରୁଥିବା ରାସ୍ତାରେ ନିଜକୁ ପୋଲିସ ପରିଚୟ ଦେଇ ଲୁଟ୍ । ବରିଷ୍ଠ ନାଗରିକଙ୍କ ଠାରୁ ୬୦ ଗ୍ରାମ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ବୁଧବାର ମଧ୍ୟାହ୍ନ ସମୟରେ କଟକ କଲେଜ ଛକ ଅଞ୍ଚଳର ବିଜୟ କୁମାର ସାହୁ ନିଜର ସ୍କୁଟରରେ ବଜ୍ରକବାଟିରୁ ଦୋଳ ମୁଣ୍ଡାଇ ଆଡ଼କୁ ଆସୁଥିଲେ । ଏତିକି ବେଳେ ହିନ୍ଦୀ ଭାଷାରେ କଥା ହେଉଥିବା ଦୁଇ ଜଣ ଲୁଟେରା ନିଜକୁ ପୋଲିସ ପରିଚୟ ଦେଇ ବିଜୟଙ୍କୁ ପିନ୍ଧିଥିବା ସୁନା ଅଳଙ୍କାର ଓହ୍ଲାଇ ଗାଡ଼ି ଡିକିରେ ରଖିବାକୁ କହିଥିଲେ । ଏମିତିକି ଆଗରେ ଲୁଟେରା ବୁଲୁଥିବା ଭୟ ଦେଖାଇଥିଲେ । ଏହାପରେ ଯେତେବେଳେ ବିଜୟ ସୁନାକୁ ଡିକିରେ ରଖିଥିଲେ ସେତେବେଳେ ସେ ସୁନାକୁ ଧରି ଫେରାର ହୋଇଯାଇଥିଲେ । ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ସେଠାରେ ଦୋକାନ ମାନଙ୍କରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରୁଛି । ଦିନ ଦୁଇ ପ୍ରହରରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଏମିତି ଲୁଟ୍ କରିବା କେଉଁଠି ନା କେଉଁଠି ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।





