ଲମତାପୁଟ, (ବାଘୁଆବାର୍ତ୍ତା): ଖାକିରେ ଲାଗିଲା ଦାଗ । ଡକାୟତ କରୁଥିଲେ ସିଆରପିଏଫ୍ ଯବାନ । ପାଡୁଆ ପୋଲିସ ହାତରେ ଧରାପଡିଲେ । ଡକାୟତ କରୁଥିବା ଯବାନ ଏବଂ ସହଯୋଗୀକୁ ଗିରଫ କରିଛି ପୋଲିସ । ଆନ୍ଧ୍ରପ୍ରଦେଶର ରାଜମେଣ୍ଡ୍ରିରେ କାର୍ୟ୍ୟରତ ଥିବା ୪୨ ବାଟାଲିୟନ ସିଆରପିଏଫ୍ ଯବାନ ରାଜକୁମାର ଜୈନ ଏବଂ ସହଯୋଗୀ ଆରକୁ ଅଞ୍ଚଳର ବାଜି ନାରଧୀନ ଉଭୟ ମିଳିତ ଭାବରେ ଡକାୟତ କରୁଥିଲେ । ଓଡିଶା ସୀମାନ୍ତ ବର୍ତ୍ତୀ ଅଞ୍ଚଳରୁ ଆନ୍ଧ୍ରରୁ ଆସୁଥିବା ପର୍ୟ୍ୟଟକଙ୍କୁ କରୁଥିଲେ ଟାର୍ଗେଟ୍ । ସ୍ଥାନୀୟ ପୋଲିସର ପରିଚୟ ଦେଇ ଟଙ୍କା, ମୋବାଇଲ ଇଦ୍ୟାଦି ଲୁଟୁଥିଲେ । ଏ ନେଇ ପର୍ୟ୍ୟଟକ ଅଭିଯୋଗ କରିଥିଲେ । ସଙ୍ଗେ ସଙ୍ଗେ ପାଡୁଆ ପୋଲିସ ତତ୍ପରତା ଦେଖାଇ ଅଭିଯୁକ୍ତଙ୍କୁ ଠାବ କରି ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କ ଠାରୁ ଯବାନ ବ୍ୟବହାର କରୁଥିବା ଦୁଇଟି ମଙ୍କି କ୍ୟାପ୍, ଦୁଇଟି ୱାକିଟକି, ୪୫୦୦ ନଗଦ ଟଙ୍କା, ୪ଟି ମୋବାଇଲ, ସ୍କୁଟି ଏବଂ ଆଇଡି କାର୍ଡ ଜବତ କରିଛି ପୋଲିସ ।





