ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ଗତ ମାସ ୭ ତାରିଖରେ ସାମନ୍ତରାୟପୁର ଛକରେ ହୋଇଥିବା ସୋମନାଥ ଭୁଜବଲ ହତ୍ୟା ଘଟଣାରେ ୨ ଅଭିଯୁକ୍ତ ଗିରଫ। ଟାଉନ ଥାନା ଅନ୍ତର୍ଗତ ମୁକୁନ୍ଦପ୍ରସାଦ ଗ୍ରାମର ଧରିତ୍ରୀ ବେହେରା ଓ ରାଜ ଦଳବେହରାଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ଠାରୁ ଦୁଇଟି ଖଣ୍ଡା ଓ ୩ ଗାଡି ଜବତ ହୋଇଛି। ଏନେଇ ଏସପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି। ଗତ ମାସ ୭ ତାରିଖରେ ସାମନ୍ତରାୟପୁର ଛକରେ ସୋମନାଥ ଭୁଜବଳନ ଭୋଜି ଖାଇବାକୁ ଅପେକ୍ଷା କରିଥଲେ। ଏହି ସମୟରେ ଏକ ପିକ୍ଅପ୍ ଭ୍ୟାନରେ ୪ ରୁ ୫ ଜଣ ଯୁବକ ଅଚାନକ ଆସି ସୋମନାଥକୁ ଗୁଳି କରିଥଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଭୁବନେଶ୍ଵରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଗତ ୮ ତାରିଖରେ ସେ ଆଖି ବୁଜିଥିଲେ। ତେବେ ଘଟଣାର ପରଦିନ ସୋମନାଥଙ୍କ ଖୁଡି ଭାନୁମତୀ ଅଭିଯୋଗ କରିବା ପରେ ପୁଲିସ୍ ୩୫୧/୨୩ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।





