ଭୁବନେଶ୍ୱର, (ବାଘୁଆବାର୍ତ୍ତା) : ବାଲେଶ୍ୱର ଜିଲ୍ଲାରେ ଜଳସେଚନ ଓ ଡ୍ରେନେଜ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ପୂର୍ବାହ୍ନରେ ଏକ ସମୀକ୍ଷା ବୈଠକ ରାଜ୍ୟ ଜଳ ସଂପଦ , ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗୀତ ଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସିମୁଳିଆ ବିଧାୟକ ତଥା ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ , ଜଳେଶ୍ୱର ବିଧାୟକ ଶ୍ରୀ ଅଶ୍ୱିନୀ ପାତ୍ର, ସୋର ବିଧାୟକ ଶ୍ରୀ ପର୍ଶୁରାମ ଧଡା, ବସ୍ତା ବିଧାୟକ ଶ୍ରୀ ନିତ୍ୟାନନ୍ଦ ସାହୁ, ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡା, ରାଜ୍ୟ ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ ( ଲୋୟର ମହାନଦୀ ବେସିନ୍), ମୁଖ୍ୟ ଯନ୍ତ୍ରୀ ( କ୍ଷୁଦ୍ର ଜଳ ସେଚନ), ମୁଖ୍ୟଯନ୍ତ୍ରୀ(ଡ୍ରେନେଜ) ଓ ନିର୍ବାହୀ ଯନ୍ତ୍ରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଜଳ ସଂପଦ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ, ଆଗକୁ ମୌସୁମୀ ବର୍ଷା ଆସୁଛି । ଏଥିପାଇଁ ପୂର୍ବରୁ ବାଲେଶ୍ୱର ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ଆଲୋଚନା ହୋଇଥିଲା । ଏହାକୁ ଆଧାର କରି ଅନୁଷ୍ଠିତ ବୈଠକରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ଜଳ ନିଷ୍କାସନ ବା ଡ୍ରେନେଜ୍ ବ୍ୟବସ୍ଥାକୁ ସୁଚାରୁରୂପେ ପରିଚାଳନା କରିବାକୁ ମନ୍ତ୍ରୀ ବିଭାଗୀୟ ଯନ୍ତ୍ରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । କେବଳ ବାଲେଶ୍ୱର ଜିଲ୍ଲା ନୁହେଁ, ରାଜ୍ୟର ସମସ୍ତ ଜିଲ୍ଲାରେ ମଧ୍ୟ ଜଳ ସେଚନ ଓ ଡ୍ରେନେଜ୍ ବ୍ୟବସ୍ଥାର ଉନ୍ନତି ପାଇଁ ବିଭାଗ ତରଫରୁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ । ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଜିଲ୍ଲାର ବିଭିନ୍ନ ଜଳସେଚନ ଓ ଜଳ ନିଷ୍କାସନ ସମସ୍ୟା ନେଇ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ସମାଧାନ ସଂପର୍କରେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ଜିଲ୍ଲାର ଉପସ୍ଥିତ ଅନ୍ୟ ସମସ୍ତ ବିଧାୟକମାନେ ନିଜ ନିଜ ଅଂଚଳର କାର୍ଯ୍ୟକାରୀ ହେଉଥିବା ଜଳ ସେଚନ ପ୍ରକଳ୍ପକୁ ଶେଷ କରାଯିବା ଓ ଡ୍ରେନେଜ୍ ବ୍ୟବସ୍ଥାର ଉନ୍ନତିକରଣ ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ମନ୍ତ୍ରୀ ଓ ବିଧାୟକମାନେ ଦେଇଥିବା ପ୍ରସ୍ତାବ ଉପରେ ଗୁରୁତ୍ୱ ଦିଆଯାଇ ଏଥିପାଇଁ ବିସ୍ତୃତ ଯୋଜନା ପ୍ରସ୍ତୁତି ପୂର୍ବକ ପର୍ଯ୍ୟାୟକ୍ରମେ କାର୍ଯ୍ୟ ସଂପାଦନ ବ୍ୟବସ୍ଥା କରାଯିବ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ପ୍ରକାଶ କରିଥିଲେ । ବୈଠକରେ ବନ୍ୟା ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜଳସେଚନ ଡିଭିଜନ ଅନ୍ତର୍ଗତ ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀବନ୍ଧର ଉନ୍ନତିକରଣ ଏବଂ ଓଡିଶା ତଟ(କୋଷ୍ଟ) କେନାଲର ମରାମତି ସଂପର୍କରେ ଆଲୋଚନା ହୋଇଥିଲା । ସେହିପରି ସାଳନ୍ଦୀ କେନାଲ ଡିଭିଜନ, ଭଦ୍ରକ ଦ୍ୱାରା ବାଲେଶ୍ୱର ଜିଲ୍ଲାର କେତେକ ଅଂଚଳରେ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ କାର୍ଯ୍ୟ କରାଯାଉଥିବାରୁ ଏହି ଡିଭିଜନ ଅନ୍ତର୍ଗତ କେନାଲ ମରାମତି କାର୍ଯ୍ୟକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ବାଲେଶ୍ୱର ଡ୍ରେନେଜ୍ ଡିଭିଜନ ପକ୍ଷରୁ ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀ, ସୁବର୍ଣ୍ଣରେଖା ଏବଂ କାଂଶବାଂସ ନଦୀ ଅଂଚଳ ମଧ୍ୟରେ ରହୁଥିବା ଡ୍ରେନେଜ୍ କାର୍ଯ୍ୟ, ବାଲେଶ୍ୱର ସହରାଂଚଳରେ ଡ୍ରେନେଜ୍ କାର୍ଯ୍ୟ ଏବଂ ଚେକ୍ ଡ୍ୟାମ ନିର୍ମାଣ କାର୍ଯ୍ୟ ସବୁକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଡ୍ରେନେଜ୍ ଡିଭିଜନ ଭଦ୍ରକ , ସିମୁଳିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଂଚଳରେ ଥିବା ଡ୍ରେନେଜ୍ କାର୍ଯ୍ୟ ତଦାରଖ କରୁଥିବାରୁ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ଜିଲ୍ଲାରେ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ, ଉଠା ଜଳ ସେଚନ ପ୍ରକଳ୍ପର ମରାମତି ଓ ରକ୍ଷଣାବେକ୍ଷଣ ଏବଂ ନୀଳଗିରି ଏନ୍.ଏ,ସିରେ ଡ୍ରେନେଜ୍ ବ୍ୟବସ୍ଥାର ଉନ୍ନତିକରଣ ନିମନ୍ତେ ଆଲୋଚନା ହୋଇଥିଲା । ଅନୁଷ୍ଠିତ ବୈଠକବେଳେ ସାମାଜିକ ଦ୍ୱରତ୍ୱ ବଜାୟ ରଖିବା ସହିତ କୋଭିଡ୍-୧୯ ପରିସ୍ଥିତିରେ ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଇଥିଲା ।





