ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ସଦର ବ୍ଲକ ଅଂଚଳରେ ଏକ ମଜାଦାର ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ନୟାଗଡ଼ ବ୍ଲକ ଅଂଚଳର ଜଣେ ଯୁବକଙ୍କ ବାହାଘର ପୂର୍ବରୁ ଠିକ ହୋଇଥିବା ବେଳେ ଆଉ ମାତ୍ର ଦଶଦିନ ବାକି ଥିଲା । ବାହାଘର ପାଇଁ ଗୁଆ ବଣ୍ଟା ସରିଥିବା ବେଳେ ବନ୍ଧୁ, ବାନ୍ଧବଙ୍କୁ ନିମନ୍ତ୍ରଣ ବି ଦିଆ ସରିଥିଲା । ଯେଉଁଥିପାଇଁ ଯୁବକ ଜଣଙ୍କ ପଣ୍ଡିଚେରୀରୁ ଉଡ଼ାଜାହାଜରେ ଉଡ଼ି ଆସିଥିଲେ । ସ୍ୱପ୍ନ ଦେଖିଥିଲେ ରଂଗୀନ ଦୁନିଆର । କିଛିଦିନ ପରେ ତାଙ୍କର ହୋଇଥାନ୍ତା ବାହାଘର ଏବଂ ସେ ଗୋଟିଏ ଦିନ ପାଇଁ ନିଜକୁ ରାଜା ବୋଲି ଭାବି ଥାନ୍ତେ । ହେଲେ ତାଙ୍କ ସବୁ ସ୍ୱପ୍ନକୁ ଧୂଳିସାତ କରି ଦେଲା କରୋନା କଟକଣା । ସେ ନୟାଗଡ଼ରେ ପହଂଚିବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ନିଆଯାଇ ବାଲୁଗାଁ ସଂଗରୋଧରେ ରଖା ଯାଇଥିବା ବେଳେ ସେ ଏବେ ରାଗରେ ରକ୍ତ ଚାଉଳ ଚୋବାଉଛନ୍ତି । ଏପଟେ ଯୁବକଙ୍କ ବାପା ପୁଅକୁ ସଂଗରୋଧ ମୁକ୍ତ କରିବା ପାଇଁ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ପୁଅ ବାହାଘର ଦଶଦିନ ଅଛି, ତାଙ୍କୁ ଛାଡ଼ି ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି । ମାତ୍ର ବ୍ଲକ ପ୍ରଶାସନ କୈାଣସି ବି ପରିସ୍ଥିତିରେ ତାଙ୍କୁ ସୁଯୋଗ ଦେଇ ନାହାନ୍ତି । କରୋନା ମହାମାରୀ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୈାଣସି ବି ପରିସ୍ଥିତିରେ କୋହଳ ମନୋଭାବ ପୋଷଣ କରାଯାଉନଥିବାରୁ ଜିଲ୍ଲାବାସୀ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି ।






