କାଳିକାପ୍ରସାଦ ବଫର ଜୋନ୍
ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟରେ କରୋନା ମହାମାରୀ କାୟା ବିସ୍ତାରି ଚାଲିଥିବା ବେଳେ ଆଜି ରାଜ୍ୟରୁ ମୋଟ ୭୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରେ ନୟାଗଡ଼ ଜିଲ୍ଲାରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଥିବା ବେଳେ ଏମାନଙ୍କ ମଧ୍ୟରୁ ୩ ଜଣ ନୂଆଗାଁ ବ୍ଲକର ଏବଂ ଅନ୍ୟ ଜଣେ ନୟାଗଡ଼ ବ୍ଲକର ବୋଲି ସୂଚନା ମିଳିଛି । ନୂଆଗାଁ ବ୍ଲକରୁ ୩ ଜଣଙ୍କୁ ଗତକାଲି ରାତିରୁ ଭୂବନେଶ୍ୱର କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଏବେ ପ୍ରଶାସନର ଚିନ୍ତା ବଢ଼ାଇଛି ଅନ୍ୟ ଜଣେ ବାହ୍ୟ କରୋନା ଆକ୍ରାନ୍ତ । ସୂଚନାନୁସାରେ, ନୟାଗଡ଼ ବ୍ଲକ କାଳିକାପ୍ରସାଦ ପଂଚାୟତ ମାନପୁର ଗ୍ରାମର ଜଣେ ବାହ୍ୟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏହି ଆକ୍ରାନ୍ତ ବ୍ୟକ୍ତି ଜଣେ ଛାତ୍ର ବୋଲି ଜଣାପଡ଼ିଛି । କିଛିଦିନ ହେବ ତାଙ୍କର ଥଣ୍ଡା ଜ୍ୱର ଲାଗି ରହିଥିବା ବେଳେ ସେ ହଠାତ୍ ପରିଶ୍ରା କରିବାରେ କଷ୍ଟ ଅନୁଭବ କରିଥିଲେ । ଫଳରେ ପରିବାର ଲୋକେ ତାଙ୍କୁ ଭୂବନେଶ୍ୱର ଏମ୍ସ ହସ୍ପିଟାଲକୁ ନେଇଥିବା ବେଳେ ତାଙ୍କର ପରୀକ୍ଷାରେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି । ଯାହା ଫଳରେ ଏନେଇ ଜିଲ୍ଲାକୁ ସୂଚନା ଆସିବା ପରେ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ଏବେ ଗାଁରେ ପହଂଚି ତନାଘନା କରିଛନ୍ତି । ଏହି ବ୍ୟକ୍ତି ଜଣଙ୍କ କାହା ସଂସ୍ପର୍ଶରେ ଆସିଥିଲେ ଏବଂ କିଛିଦିନ ଭିତରେ ତାଙ୍କ ସହ କିଏ ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ଅନୁସନ୍ଧାନ କରାଯାଇଛି । ଯାହାକୁ ନେଇ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ମାନପୁର ଗ୍ରାମକୁ କଣ୍ଟେନ୍ମେଣ୍ଟ ଜୋନ୍ ଏବଂ କାଳିକା ପ୍ରସାଦକୁ ବଫର୍ ଜୋନ୍ ଘୋଷଣା କରିଥିବା ସୂଚନା ଦେଇଛନ୍ତି । ଏଥିସହିତ ଗ୍ରାମର କୈାଣସି ବ୍ୟକ୍ତି ବାହାରକୁ ନବାହରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କ ଆବଶ୍ୟକୀୟ ଜିନିଷ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି । ଗାଁରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ପହଂଚି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ କରିବା ସହ ଏହି ଆକ୍ରାନ୍ତଙ୍କ ସହ ଅନ୍ୟ କେହି ବ୍ୟକ୍ତି ସଂସ୍ପର୍ଶରେ ଆସିଛନ୍ତି ନା ନାହିଁ ତାକୁ ନେଇ ତନାଘନା ଚାଲିଛି ।






