ଭୁବନେଶ୍ୱର/ଜଗତସିଂହପୁର, (ବାଘୁଆବାର୍ତ୍ତା) : ଆଜି ଜଗତସିଂହପୁର ସଂସ୍କୃତି ଭବନଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଯୋଗଦେଇ ରାଜ୍ୟ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଲେ ଯେ, ମହାନଦୀ ଓ କାଠଯୋଡ଼ି ମଧ୍ୟଭାଗରେ ଜଗତସିଂହପୁର ଜିଲ୍ଲା ଅବସ୍ଥିତ । ତେଣୁ ଏହା ଏକ ବୁଡ଼ି ଅଞ୍ଚଳ । ବନ୍ୟା ହେଲେ ଏ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଯାଏ । ଜିଲ୍ଲା ପାଇଁ ଡ୍ରେନେଜ୍ ବ୍ୟବସ୍ଥାକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି । ବନ୍ୟା ସମୟରେ ଅନେକ ପାଟଜମି ବୁଡ଼ିଯାଏ ଓ ଚାଷ ବିପର୍ଯ୍ୟସ୍ଥ ହୁଏ । ତେଣୁ ଚାଷଜମିରୁ ପାଣି ନିଷ୍କାସନ କରିବା ପାଇଁ ଏବଂ ଅଟକି ଥିବା ଡ୍ରେନେଜ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ଡ୍ରେନେଜ୍ ନିର୍ମାଣ ଓ କୃଷି ବିଭାଗ ମଧ୍ୟରେ ଏକ ସ୍ୱତନ୍ତ୍ର ବୈଠକ ଡକାଇ ଆଶୁ ସମାଧାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ପରାମର୍ଶ ଦେଇଥିଲେ । ଏତଦ୍ବ୍ୟତୀତ ସମସ୍ତଙ୍କ ସଂଘବଦ୍ଧ କାର୍ଯ୍ୟ ଯୋଗୁଁ କୋଭିଡ୍-୧୯ର ସଫଳ ମୁକାବିଲା କରାଯାଇଛି ଏବଂ ଏକ ବଡ଼ ଦୁର୍ବିପାକରୁ ଜିଲ୍ଲା ବର୍ତ୍ତିବାକୁ ଯାଉଛି । ଜିଲ୍ଲାରେ ଇ-ଗଭର୍ଣ୍ଣାନ୍ସ ପ୍ରଚଳନ କରି ଜିଲ୍ଲାପାଳ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇପାରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ । ଏହି ବୈଠକରେ ଯୋଗଦେଇ ଜଗତସିଂହପୁରର ବିଧାୟକ ତଥା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି କହିଲେ ଯେ, ଜଗତସିଂହପୁର ଜିଲ୍ଲା ବାତ୍ୟା, ବନ୍ୟା ପ୍ରପୀଡ଼ିତ ଜିଲ୍ଲା । ପ୍ରାକୃତିକ ବିପର୍ଯ୍ୟୟ ହେଲେ ଏ ଜିଲ୍ଲା ଅଧିକ ପ୍ରଭାବିତ ହୋଇଥାଏ । ଜଗତସିଂହପୁର ଜିଲ୍ଲା ପାଇଁ ଡ୍ରେନେଜ୍ ଏକ ମୁଖ୍ୟ ସମସ୍ୟା । ଆସନ୍ତା ୧୫ ଦିନ ମଧ୍ୟରେ ଜିଲ୍ଲାରେ ଥିବା ସମସ୍ତ ଡ୍ରେନେଜ୍ ସଫା କରାଯିବା ପାଇଁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ସେ ପରାମର୍ଶ ଦେଇଥିଲେ । କୋଭିଡ୍-୧୯ ସମୟରେ ସବୁଠାରୁ ସୁରକ୍ଷା ଦେବାରେ ଯେଉଁମାନଙ୍କ ଅବଦାନ ଅଛି, ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ବୈଠକରେ ଯୋଗଦେଇ ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ କହିଲେ ୨୨ ମୌଜା ଏକ ତଳିଆ ଅଞ୍ଚଳ ହୋଇଥିବାରୁ ଏ ଅଞ୍ଚଳରେ ଥିବା ଚାଷଜମିରୁ ପାଣି ନିଷ୍କାସନ ପାଇଁ ତୁରନ୍ତ ବ୍ୟବସ୍ଥା ଗ୍ରହଣ କରାଯାଉ । ଚାଷୀ ଓ ଚାଷକୁ ଗୁରୁତ୍ୱ ଦିଆଯାଉ ଏବଂ ହଂସୁଆ ଡ୍ରେନେଜ୍ର ବାକିଥିବା କାର୍ଯ୍ୟକୁ ତୁରନ୍ତ ଶେଷ କରିବା ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ସେ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଯୋଗଦେଇ ପରାଦ୍ୱୀପର ବିଧାୟକ ଶ୍ରୀ ସଂବିତ୍ ରାଉତରାୟ କହିଲେ ଯେ ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ପାରାଦ୍ୱୀପ ଶିଳ୍ପାଞ୍ଚଳରେ କୋଭିଡ୍-୧୯ର ସଫଳ ମୁକାବିଲା କରାଯାଇପାରିଛି । ସାଇଲୋଠାରେ ଏଲ୍.ଆଇ ଅଫିସ୍ ଖୋଲିବା ଏବଂ ତାରିକୁଦ ନୋଳିଆ ବସ୍ତିରେ ବିଦୁ୍ୟତ ସରବରାହକୁ ସୁଗମ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଯେ ଅମ୍ଫାନ ବାତ୍ୟା ପାଇଁ ଯେଉଁସବୁ ପଦକ୍ଷେପ ଗ୍ରହଣ କରାଯାଇଥିଲା, ବନ୍ୟା ପୂର୍ବରୁ ସେହିଭଳି ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି । ବନ୍ୟା ସମୟରେ ଲୋକମାନଙ୍କୁ ପାନୀୟ ଜଳର ସୁବନ୍ଦୋବସ୍ତ କରିବା, ବିଦୁ୍ୟତ ସରବରାହକୁ ସୁଗମ କରିବା, ବିଭିନ୍ନ ବ୍ଲକ୍ରେ ଖାଦ୍ୟ ପଦାର୍ଥ ମହଜୁଦ୍ ରଖିବା, ସମ୍ବେଦନଶୀଳ ଅଞ୍ଚଳକୁ ଓଡ଼୍ରାଫ୍ ଏବଂ ଏନ୍ଡିଆର୍ଏଫ୍କୁ ପଠାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଗ ସଂଗ୍ରହ କରିବାରେ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଛି ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ । ଜୁନ୍ ମାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ସମୟରେ ବାହାର ରାଜ୍ୟରୁ ଅନେକ ଲୋକ ଆସିବେ । ତେଣୁ ସମସ୍ତେ ମୁହଁରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିପାରିଲେ ମହାମାରୀ କରୋନାର ସଫଳ ମୁକାବିଲା କରାଯାଇ ପାରିବ । ବର୍ତ୍ତମାନ ସବୁ ଅଫିସ୍ରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ ଅଛି । ବନ୍ୟା ପୂର୍ବରୁ ଦୁର୍ବଳ ନଦୀବନ୍ଧ ଚିହ୍ନଟ କରିବା, ଡ୍ରେନେଜ୍ଗୁଡ଼ିକୁ ସଫା କରିବା, ବିଭିନ୍ନ ସ୍ଥାନରେ ଓହଳି ରହିଥିବା ବିଦୁ୍ୟତ ତାରକୁ ଉପରକୁ ଉଠାଇବା, ବନ୍ୟା ସମୟରେ ଯନ୍ତ୍ରଚାଳିତ ଡଙ୍ଗା ଓ ଦେଶୀ ଡଙ୍ଗା ମହଜୁଦ ରଖିବା, ସାପକାମୁଡ଼ା ଔଷଧ, ହାଲୋଜିନ୍ ବଟିକା ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବା, ନଳକୂପଗୁଡ଼ିକର ମରାମତି ଏବଂ ତଳିଆ ଅଞ୍ଚଳରେ ଥିବା ନଳକୂପକୁ ଉପରକୁ ଉଠାଇବା, ବିଭିନ୍ନ ତହସିଲ୍ରେ ପଲିଥିନ୍ ରଖିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲା ଅରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରକାଶ ପାଲ୍, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସରୋଜକାନ୍ତ ମହାନ୍ତି, ଉପଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ, ବିଭିନ୍ନ ବିଭାଗର ର୍ନିବାହୀ ଯନ୍ତ୍ରୀ, ସମସ୍ତ ବିଡିଓ, ତହସିଲଦାର ଓ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।





