ବରଗଡ଼, (ବାଘୁଆବାର୍ତ୍ତା): ଶ୍ୱଶୁର ଘରୁ ସୁନାଗହଣା ଚୋରି କରି ଜ୍ୱାଇଁ ଗିରଫ ହେବା ଘଟଣା ବରଗଡ଼ରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ବରଗଡ଼ ଗ୍ରାମାଞ୍ଚଳ ଥାନା ପୁଲିସ ତରଫରୁ ଟାଉନଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମାବେଶରେ ସବିଶେଷ ସୂଚନା ଦେଇ ଏସଡ଼ିପିଓ ଅମୃତ କୁମାର ପଣ୍ଡା ଅପରାଧିକ ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ । ମିଳିଥିବା ସୂଚନା ଅନୁସାରେ କଳାପାଣି ଗ୍ରାମର ପରିକ୍ଷିତ ମହାପାତ୍ରଙ୍କ ଘରୁ ଗତ ୯ ତାରିଖରେ ଲକ୍ଷାଧିକ ମୂଲ୍ୟର ସୁନା ଗହଣା ଚୋରି ହୋଇଯାଇଥିଲା । ଏନେଇ ପରିକ୍ଷିତଙ୍କ ପୁଅ ମନୋଜ ମହାପାତ୍ର ବରଗଡ଼ ଗ୍ରାମାଂଚଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେସ ନମ୍ବର ୧୦୪/୨୦୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରୁ ପୋଲିସ ଘରୋଇ କେହି ଚୋରି କରିଥିବା ସୁରାକ ପାଇବା ପରେ ବିଧିବଦ୍ଧ ଭାବେ ଯାଂଚ କରି ପରିକ୍ଷିତଙ୍କ ଭଉଣୀ ଓ ଭଉଣୀ ଜ୍ୱାଇଁଙ୍କ ଗାଇସିଲେଟ ଥାନା ଅନ୍ତର୍ଗତ ଭାଙ୍ଗମୁଣ୍ଡା ଗ୍ରାମସ୍ଥିତ ବାସଭବନରେ ଚଢ଼ଉ କରି ଚୋରି ସୁନାଗହଣା ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ । ଭଉଣୀ ଜ୍ୱାଇଁ କରୁଣା ପାଣିଙ୍କ ଠାରୁ ପୁଲିସ ୧୦ ଗ୍ରାମ ଓଜନର ଗୋଟେ ସୁନାଚେନ, ୨୫ ଗ୍ରାମ ଓଜନର ରାନୀହାର, ୧୦ ଗ୍ରାମର ଚେନ ଓ ଲକେଟ, ହଳେ କାନଫୁଲ, ଗୋଟେ ସେଟ ଝୁମକା, ଦୁଇଟି ସୁନାମୁଦି, ଗୋଟେ ନାକଫୁଲି, ୬ଟି ସୁନା ଶଙ୍ଖକୁ ନେଇ ମୋଟ ୮୦ ଗ୍ରାମ ଓଜନର ସୁନା ଏବଂ ତିନି ଯୋଡ଼ା ରୁପାର ଗୋଡ଼ମୁଦି ଓ ଦୁଇଟି ପାଉଜିକୁ ନେଇ ୧୦୦ ଗ୍ରାମ ଓଜରନର ରୂପା ଗହଣା ସହ ନଗଦ ୩ ହଜାର ଟଙ୍କା ଉଦ୍ଧାର କରିବାରେ ପୁଲିସ ସମର୍ଥ ହୋଇଥିବା ଜଣାପଡ଼ିଛି । ତେବେ ଦୋଷ ସ୍ୱୀକାର କରିବା ପରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଜ୍ୱାଇଁ କରୁଣା(୩୦) ଏବଂ ଏଥିରେ ତାଙ୍କୁ ପୂର୍ଣ୍ଣ ସହଯୋଗ କରିଥିବା ଭଉଣୀ ସସ୍ମିତା ମହାପାତ୍ର ଓରଫ ମାମି(୨୬) ଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଉଭୟଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିବା ବେଳେ ଜାମିନ ନାମଂଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ତଦନ୍ତକାରୀ ଅଧିକାରୀ ତଥା ଗ୍ରାମାଂଚଳ ଥାନାର ଭାରପ୍ରାପ୍ତ ଅଧିକାରୀ ସତ୍ୟଜିତ କାଣ୍ଡେଲକେଲଙ୍କ ଠାରୁ ଜଣାପଡ଼ିଛି ।





