ଓଟାୱା, (ବାଘୁଆବାର୍ତ୍ତା): କାନାଡା ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ । ଏ ପର୍ୟ୍ୟନ୍ତ ଏହା ସବୁଠୁ ବଡ଼ ଅଗ୍ନିକାଣ୍ଡ ବୋଲି କୁହାଯାଉଛି । ନିଆଁ ଭିଷଣ ମାତ୍ରାରେ ମାଡ଼ିବାରେ ଲାଗିଛି । ଦେଶର ୧୦ଟି ପ୍ରଦେଶ ଏବଂ ସହରଗୁଡ଼ିକରେ ନିଆଁର ପ୍ରଭାବ ଦେଖିବାକୁ ମିଳିଛି । ସେଠାକାର ଅଧିକାରୀଙ୍କ ମୁତାବକ, ଅଗଷ୍ଟ ପର୍ୟ୍ୟନ୍ତ ସ୍ଥିତି ଆହୁରି ଖରାପ ହେବା ଆଶଙ୍କା ରହିଛି । ଏ ପର୍ୟ୍ୟନ୍ତ ପ୍ରାୟ ୩୩ ହଜାର ବର୍ଗକିମି ଅଞ୍ଚଳ ନିଆଁ କବଳକୁ ଆସିସାରିଛି । ଏହି ଅଗ୍ନିକାଣ୍ଡ ବିଗତ ୧୦ ବର୍ଷରେ ଲାଗିଥିବା ହାରାହାରି ନିଆଁଠାରୁ ୧୩ ଗୁଣା ଅଧିକ । ସେହିଭଳି ଯେଉଁ ଅଞ୍ଚଳରେ ନିଆଁ ଲାଗିଛି, ତାହା ଆକାର ଦୃଷ୍ଟିରୁ ବେଲ୍ଜିୟମ ତୁଳନାରେ ବଡ଼ । ଏହି କାରଣରୁ ୧.୨୦ ଲକ୍ଷରୁ ଅଧିକ ଲୋକ ନିଜ ଘରଦ୍ୱାର ଛାଡ଼ି ପଳାଇଲେଣି । ଆହୁରି ଅନେକ ଲୋକ ଘର ଛାଡ଼ିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କାନାଡ଼ାରେ ବର୍ତ୍ତମାନ ୪୧୩ ଜଙ୍ଗଲରେ ନିଆଁ ଲାଗିଛି । ଏଥିରୁ ୨୪୯ ଜଙ୍ଗଲରେ ଲାଗିଥିବା ନିଆଁ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଏଥିରୁ ନିର୍ଗତ ଧୂଆଁ କାନାଡ଼ା ବ୍ୟତୀତ ଆମେରିକାର କେତେକ ପ୍ରଦେଶରେ ବ୍ୟାପିବାକୁ ଲାଗିଲାଣି । ନ୍ୟୁୟର୍କ, ମିନେସୋଟା, କ୍ୱିନ୍ସ ଏବଂ ମାସାଚୁସେଟ୍ସରେ ବାୟୁର ମାନ ଖରାପ ହେବା ନେଇ ଆଲର୍ଟ ଜାରି କରାଯାଇଛି । ଜଙ୍ଗଲଗୁଡ଼ିକରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଆମେରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ସମେତ ଅନେକ ଦେଶ ସହାୟତା ପାଇଁ ଆଗେଇ ଆସିଛନ୍ତି । ଏହି ଦେଶଗୁଡ଼ିକର ହଜାର ହଜାର ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁଲିଭା କାର୍ୟ୍ୟରେ ସାମିଲ ହୋଇଛନ୍ତି । କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି, ଲୋକଙ୍କ ପାଇଁ ସ୍ଥିତି ଭୟଙ୍କର ପାଲଟିଛି । ଅନେକ ଲୋକ ଭୟରେ ଘରଦ୍ୱାର ଛାଡୁଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଆମେ ଉଦ୍ୟମ ଜାରି ରଖିଛୁ । ଏଭଳି ସ୍ଥିତିରେ ସହାୟତା ପହଞ୍ଚାଇଥିବା ଦେଶଗୁଡ଼ିକୁ ଟ୍ରୁଡୋ ଧନ୍ୟବାଦ ଜଣାଇଛନ୍ତି । ଏହା ପୂର୍ବରୁ କାନାଡ଼ାର ନୋଭା ସ୍କୋଟିଆ ପ୍ରଦେଶସ୍ଥିତ ଜଙ୍ଗଲରେ ଲାଗିଥିବା ଭୀଷଣ ନିଆଁକୁ ଅନେକାଂଶରେ ନିୟନ୍ତ୍ରଣ କରାଯାଇଥିଲା । ଏଠାରେ ଜଙ୍ଗଲନିଆଁ ବ୍ୟାପୀ ୨୦୦ ଘର ଜଳିଯାଇଥିଲା । ୧୬ ହଜାର ଲୋକ ଘର ଛାଡ଼ିବାକୁ ବାଧ୍ୟ ହୋଇଥିଲେ । କ୍ୟୁବେକରେ ପ୍ରାୟ ୧୬୪ଟି ସକ୍ରିୟ ଜଙ୍ଗଲ ନିଆଁ ରହିଥିବା ବେଳେ ୧୦ ହଜାରରୁ ଅଧିକ ଲୋକ ଘର ଛାଡ଼ିଦେଇଛନ୍ତି । କାନାଡ଼ାରେ ବନ୍ୟା ପରେ ଜଙ୍ଗଲ ନିଆଁକୁ ସବୁଠୁ ବଡ଼ ବିପର୍ୟ୍ୟୟ କୁହାଯାଏ । ଜଙ୍ଗଲ ନିଆଁରେ ପ୍ରତିବର୍ଷ ୪୦ ଲକ୍ଷ ବର୍ଗକିମି ଅଞ୍ଚଳ ଜଳିଯାଇଥାଏ । ଗ୍ରୀଷ୍ମ ଋତୁରେ ବିଶେଷକରି ଜଙ୍ଗଲ ଜଳିଥାଏ । ଏହି ଋତୁରେ ଗୋଟିଏ ଛୋଟ ଘଟଣାରୁ ଭୀଷଣ ଅଗ୍ନିକାଣ୍ଡ ଘଟିଥାଏ । ଗଛର ଶୁଖିଲା ଡାଳ ପରସ୍ପର ସହ ଜୋରରେ ଘଷିହେବା ଯୋଗୁ ନିଆଁ ଲାଗିପାରେ । ଏହାଛଡ଼ା ପ୍ରାକୃତିକ ଭାବେ ବିଜୁଳି ପଡ଼ିବା, ଅଗ୍ନି ଉଦ୍ଗିରଣ ଓ କୋଇଲା ଜଳିବା କାରଣରୁ ଜଙ୍ଗଲରେ ନିଆଁ ଲାଗିଥାଏ । କାନାଡ଼ାରେ ତାପମାତ୍ରା ବୃଦ୍ଧିକୁ ଜଙ୍ଗଲ ନିଆଁର ପ୍ରମୁଖ କାରଣ ବିବେଚନା କରାଯାଇଥାଏ ।





