ସୋର, (ବାଘୁଆବାର୍ତ୍ତା): ଟଙ୍କା ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ସୋର ମ୍ୟୁନିସିପାଲିଟି ମୁଖ୍ୟ କିରାଣୀ ସୁମିତା ପାଣିଗ୍ରାହୀ ଓ ପିଅନ ପୀତବାସ । ସୋର ମ୍ୟୁନିସିପାଲିଟି କାର୍ୟ୍ୟାଳୟରେ ଅବସରପ୍ରାପ୍ତ କର୍ମଚାରୀ ଗଣପତି ସୁମିତା ନଗଦ ୬ ହାଜର ଟଙ୍କା ନେଲା ବେଳେ ମାଡ଼ିବସିଲେ ଭିଜିଲାନ୍ସ ଅଧିକାରୀ । ସୋର ମ୍ୟୁନିସିପାଲିଟି କାର୍ୟ୍ୟାଳୟରେ ଭିଜିଲାନ୍ସ ଚଢାଉ କରିଥିବା ଦେଖିବାକୁ ମିଳିଥିଲା । ରିଭାଇଜ୍ ପେନ୍ସନ୍ କରାଇଦେବାକୁ ମାତ୍ର ୬ ହଜାର ଟଙ୍କା ପାଇଁ ଦୀର୍ଘ ଦିନ ଧରି ଅବସରପ୍ରାପ୍ତ କର୍ମଚାରୀ ଗଣପତି ରାଉତଙ୍କୁ ବାରମ୍ବାର ହଇରାଣ କରୁଥିଲେ ସୁମିତା ଓ ପୀତବାସ । ଟଙ୍କା ନଦେଲେ ଗଣପତିଙ୍କ ରିଭାଇଜ୍ ପେନ୍ସନ୍ କାମ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ ବୋଲି ସୁମିତା କହିଥିଲେ । ଏନେଇ ଗଣପତି ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଯୋଜନା ମୁତାବକ ଗଣପତି ସୁମିତାକୁ ମ୍ୟୁନିସିପାଲଟି କାର୍ୟ୍ୟାଳୟରେ ୬ ହଜାର ଟଙ୍କା ଦେବା ବେଳେ ଭିଜିଲାନ୍ସ ଟିମ୍ ସୁମିତାକୁ ମାଡ଼ି ବସିଥିଲା । ଏଥିରେ ସଂପୃକ୍ତ ଥିବା ମ୍ୟୁନିସିପାଲଟି କାର୍ୟ୍ୟାଳୟର ପିଅନ ପୀତବାସ ଦାସ ମଧ୍ୟ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲା । ସୁମିତା ଓ ପୀତବାସକୁ ଦୁର୍ନୀତି ନିବାରଣ ବିଭାଗ ତାଙ୍କ ବାଲେଶ୍ବର କାର୍ୟ୍ୟାଳୟକୁ ନେଇଯାଇଛି ।





