ନୟାଗଡ଼,(ବାଘୁଆବାର୍ତ୍ତା): ଦୀର୍ଘଦିନ ଧରି ଇଟାମାଟି ଥାନା ଅଞ୍ଚଳରେ ବ୍ୟାପକ ପରିମାଣର ଚୋରା ମଦ କାରବାର ହୋଇ ଆସୁଥିବା ଅଭିଯୋଗ ହେଉଥିଲା । ଦେଶୀ ମଦ, ଗଞ୍ଜେଇ ଓ ଅଫିମ କାରବାର ମଧ୍ୟ ଇଟାମାଟି ଅଞ୍ଚଳରେ ବହୁଳ ଚାଲିଛି । ବ୍ରାଉନସୁଗାର କାରବାର ଇଟାମାଟିରେ ପେଣ୍ଠସ୍ଥଳୀ ପାଲଟିଛି । ଏହାକୁ ରୋକିବା ପାଇଁ ପୁଲିସ ବିଭାଗ କୈାଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବା ବେଳେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ଦିପକ ଖଣ୍ଡାୟତରାୟ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛନ୍ତି । ଗମ୍ଭାରିଡିହି ଛକରେ ବେଆଇନ ମଦ କାରବାର ସୂଚନା ପାଇ ପୁଲିସ ଚଢ଼ାଉ କରିଥିଲା । ସେଠାରୁ ୧୨ ଲିଟର ବିଦେଶୀ ମଦ ଜବତ କରିବା ସହ ଭୁତଡିହି ଗ୍ରାମର ଧୃବ ପ୍ରଧାନଙ୍କ ପୁଅ ଲିପୁନା ପ୍ରଧାନଙ୍କୁ ଗିରଫ କରାଯାଇଛି । ସେହିଭଳି ଭାବେ ଇଟାମାଟି ବଜାର ବଡ଼ଟାଙ୍ଗି ପାଟଣା ଜେଜେ ଫାଷ୍ଟଫୁଡ ଉପରେ ଚଢ଼ାଉ କରାଯାଇ ୫ ଲିଟର ବିଦେଶୀ ମଦ ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ କଂସାରିସାହିର ପଦ୍ମଚରଣ ସାହୁଙ୍କ ପୁଅ ସନ୍ତୋଷ କୁମାର ସାହୁ । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।





