ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କୁ ଲଗାତାର ଭାବେ ଫୋନ ଏବଂ ହ୍ୱାଟସଆପ ମାଧ୍ୟମରେ ହଇରାଣ କରୁଥିବା ଦୁଇ ଜଣ ଯୁବକଙ୍କୁ ନୟାଗଡ଼ ଟାଉନ ଥାନା ପୁଲିସ ଗରିଫ କରିଛି । ଯୁବକ ଦୁଇଜଣ ହେଲେ ରଣପୁର ଥାନା ରାଜସୁନାଖଳା ଆଙ୍କୁଳପାଟଣା ସାହିର ପୁରୁଷୋତ୍ତମ ସାମନ୍ତରାୟଙ୍କ ପୁଅ ଦୀପକ ରଞ୍ଜନ ସାମନ୍ତରାୟ ଏବଂ ଇଟାମାଟି ଥାନା ବଡ଼ପଣ୍ଡୁସର ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପୁଅ ପ୍ରିତିରାଜ ମହାପାତ୍ର । ଏହି ଦୁଇ ଯୁବକଙ୍କ ସହ ଅନ୍ୟ କିଛି ଯୁବକ ହ୍ୱାଟସଆପ୍ ରେ ବିଭିନ୍ନ ଗ୍ରୁପ କରି ମହିଳାଙ୍କୁ ହଇରାଣ କରୁଥିଲେ । କାଳିଆ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଦେଶି ଗାର୍ଲ, ଟିଙ୍ଗ୍ ହାଇଟେକ ଭଳି ଅନେକ ଗ୍ରୁପ ତିଆରି କରି ତାହା ମଧ୍ୟରେ ମହିଳାଙ୍କ ନମ୍ବରକୁ ସେୟାର କରୁଥିଲେ । ଗ୍ରୁପରେ ଥିବା ଶତାଧିକ ଯୁବକ ଉକ୍ତ ନମ୍ବର ପାଇ ମହିଳାଙ୍କୁ ଅଶ୍ଳିଳ ମେସେଜ ପଠାଇବା, କଲ ମାଧ୍ୟମରେ ହଇରାଣ କରିବା ଭଳି କାର୍ଯ୍ୟ କରୁଥିଲେ । ବନଖଣ୍ଡ ଅଧିକାରୀଙ୍କ ସରକାରୀ ନମ୍ବରକୁ ଗତ ୧୪ ତାରିଖଠାରୁ ଲଗାତର ଭାବେ ଫୋନ କଲ ଓ ହ୍ୱାଟସଆପରେ ହଇରାଣ କରାଯାଉଥିଲା । ଏନେଇ ଡିଏଫଓ ଟାଉନ ଥାନାରେ ଏତଲା ଦେବା ପରେ ଥାନା ଅଧିକାରୀ ପ୍ରଜ୍ଞାପାରମିତା ଜେନା ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ । ଆଜି ଟାଉନ ଥାନାରେ ନୟାଗଡ଼ ଏସପି ଅଲେଖ ପହି ଘଟଣାର ଖୁଲାସା କରିବା ସହ ଅଭିଯୁକ୍ତକୁ ଗିରଫ ସମ୍ପର୍କରେ ସୁଚନା ଦେଇଛନ୍ତି ।





