ନୟାଗଡ, (ବାଘୁଆବାର୍ତ୍ତା) : ପ୍ରଶାସନ ସହେଯାଗରେ ଜଣେ ପ୍ରବାସୀ ଶ୍ରମିକଙ୍କ ଶବ ଗାଁରେ ପହଂଚିଛି । ସୂଚନାନୁସାରେ, ଦଶପଲ୍ଲା ଥାନା ଅନ୍ତର୍ଗତ ଘୋଳାହାଣ୍ଡି ଗାଁର ଶତ୍ରୁଘନ ପ୍ରଧାନ ଓରଫ ବାବୁ (୨୯)ଙ୍କୁ ଗତ ୨୭ ତାରିଖ ପଞ୍ଚାବ ଲୁଧିଆନା ଜିଲ୍ଲା ଦୋରଥାନା ଅନ୍ତର୍ଗତ କଦଟୀକା ଅଞ୍ଚଳରେ ହତ୍ୟା କରାଯାଇଥିଲା । ଏକ ମଦଦୋକାନରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକ ବାବୁଙ୍କ ହତ୍ୟାକାଣ୍ଡରେ ୪ଜଣ ସଂପୃକ୍ତି ଥିବା ପୋଲିସ ତଦନ୍ତ ବେଳେ ଜାଣିପାରି ୨ଜଣ ହତ୍ୟାକାରୀଙ୍କୁ ଗିରଫ କରିଥିବା ଦୋର ପୋଲିସ ପରିବାର ଲୋକଙ୍କୁ ଏନେଇ ଜଣାଇଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ କିଭଳି ଶବ ଗାଁକୁ ଆଣିବେ ଚିନ୍ତାରେ ଥିବା ବେଳେ ଦଶପଲ୍ଲା ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ ନୟାଗଡ଼ ଜିଲ୍ଲା ରେଡକ୍ରସ୍ ପାଣ୍ଠି ଓ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ପଞ୍ଜାବରୁ ଶବ ଆଣିବା ପାଇଁ ୩୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା ପରେ ରବିବାର ଦିନ ଅପରାହ୍ନରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଶବଟି ଶ୍ରମିକଙ୍କ ଜନ୍ମମାଟି ଘୋଳାହାଣ୍ଡିରେ ପହଞ୍ଚିଛି । ଶବ ଗାଁରେ ପହଞ୍ଚିବା ପରେ ଶୋକାକୂଳ ବାତାବରଣ ସୃଷ୍ଟି ହୋଇଥିଲା ।






