ସୁନ୍ଦରଗଡ଼, (ବାଘୁଆବାର୍ତ୍ତା): ଟ୍ରାକ୍ଟର ମାଲିକଙ୍କଠାରୁ ଲାଞ୍ଚ ନେବା ମହଙ୍ଗା ପଡିଲା । ନିଲମ୍ବିତ ହେଲେ ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଏଏସଆଇ । ଟ୍ରାକ୍ଟର ମାଲିକଙ୍କ ଠାରୁ ୭୦ହଜାର ଟଙ୍କା ଲାଞ୍ଚ ନେଉଥିବା ଆଭିଯୋଗରେ ଚାକିରୀରୁ ନିଲମ୍ବିତ କଲେ ସୁନ୍ଦରଗଡ ଏସପି । ଟ୍ରାକ୍ଟରରେ ମାଟି ଉଠାଇବାକୁ କେନ୍ଦ୍ରକରି ଦୁଇ ଟ୍ରାକ୍ଟର ମାଲିକଙ୍କୁ ଲାଞ୍ଚ ମାଗିଥିଲେ ହେମଗିରି ଥାନା ଏଏସଆଇ ତପନ କୁମାର ବେହେରା । ଟ୍ରାକ୍ଟର ମାଲିକ ଫୋନ୍ ପେ’ ଯୋଗେ ତାଙ୍କୁ ଟଙ୍କା ମଧ୍ୟ ଦେଇଥିଲେ । ତେବେ ଏନେଇ ଗତ ସପ୍ତାହରେ ସମ୍ପୃକ୍ତ ଅଞ୍ଚଳରେ ହୋଇଥିବା ଜନଶୁଣାଣିରେ ଟ୍ରାକ୍ଟର ମାଲିକ ଅଭିଯୋଗ କରିଥିଲେ । ଅଭିଯୋଗ ଶୁଣିବା ପରେ ଏସ୍ପି ପ୍ରତ୍ୟୁଷ ଦିବାକର ଏସ୍ଡିପିଓଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତରେ ସତ ଜଣାପଡିବା ପରେ ଏଏସ୍ଆଇଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ।





