ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଂଚଳ ରବିଗାଡ଼ିଆ ପଞ୍ଚାୟତ କଇଠପଲ୍ଲୀ ଗ୍ରାମରୁ ବନ କର୍ମଚାରୀମାନେ ୧୦୩ ଖଣ୍ଡ ପଟା ଜବତ କରିଛନ୍ତି । ଏକ ଖଳାରେ ପାଳ ଘୋଡ଼ା ହୋଇ ପଟା ରଖା ଯାଇଥିବା ବେଳେ ଓଡ଼ଗାଁ ବନାଂଚଳ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଟା, ବନପାଳ ସରିତା ବରାଳ ଅନ୍ୟ କର୍ମଚାରୀମାନେ ମିଛି ଚଢାଉ କରି ପଟା ଜବତ କରିଛନ୍ତି । ଏହି ପଟା ଗୁଡ଼ିକ ମଧ୍ୟରେ ମୁଲ୍ୟବାନ ଶାଗୁଆନ, ଜାମୁ ଓ ଆକାଶିଆ ପଟା ରହିଥିବା ଜଣାଯାଇଛି । ହେଲେ ଏହି ଖଳା କାହାର ଓ ପଟା ମାଲିକ କିଏ ସେ ନେଇ ବନାଂଚଳ ଅଧିକାରୀ ଓ ବନକର୍ମଚାରୀମାନେ ଜାଣି ନପାରିବା ସମସ୍ତଙ୍କୁ ସନ୍ଦେହରେ ପକାଇଛି । ଯାହାକୁ ନେଇ ଓଡ଼ଗାଁଠାରୁ ନୟାଗଡ଼ ଯାଏଁ ଆଲୋଚନା ଚାଲିଥିବା ବେଳେ ବନବିଭାଗ ସତରେ ଜାଣି ପାରୁନାହିଁ, ନା ଜାଣି ଅଜଣା ହୋଇଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେହିଭଳି ହରିପୁର ପଂଚାୟତ ସିଆରିମାଳରୁ କିଛି କାଠଲଗ୍ ଓ କରତ ଜବତ କରାଯାଇଥିବା ବେଳେ କାଠ କାଟୁଥିବା ବ୍ୟକ୍ତିମାନେ କେଉଁଆଡ଼େ ଗଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଓଡ଼ଗାଁ ବନାଂଚଳ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବେଆଇନ୍ କାଠ କାରବାର ବୃଦ୍ଧି ପାଇଥିବା ବେଳେ ଦୀର୍ଘଦିନ ହେବ ବନକର୍ମଚାରୀମାନେ ଚୁପ ରହି ଏହାକୁ ସମର୍ଥନ ଦେଉଥିବା ଆଲୋଚନା ହେଉଛି ।






