
ନୟାଗଡ, (ବାଘୁଆବାର୍ତ୍ତା): କରୋନା ମହାମାରୀ ମୁକାବିଲାରେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ପ୍ରତିଟି ଓଡ଼ିଆ ମୁହଁରେ ଗୁଞ୍ଜରିତ ହୋଇଛି ବନ୍ଦେ ଉତ୍କଳ ଜନନୀ ସଂଗୀତ । ଏହି ଅବସରରେ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୁଣା ବସଷ୍ଟାଣ୍ଡଠାରେ ସ୍ୱତନ୍ତ୍ର ଭାବେ ରାଜ୍ୟ ସଂଗୀତକୁ ଗାନ କରିବାର ବ୍ୟବସ୍ଥା କରାଯାଇଥିଲା । ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଜିଲ୍ଲାପାଳ ଡ. ପୋମା ଟୁଡୁ, ବନଖଣ୍ଡ ଅଧିକାରୀ ଧନରାଜ ଏଚ୍.ଡି, ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର, ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ସହ ସମବେତ ଜନତା, ସରକାରୀ କର୍ମଚାରୀ ପ୍ରମୂଖ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ସେହିଭଳି ନୟାଗଡ଼ ବ୍ଲକରେ ବିଡିଓ ମନୋଜ ପାତ୍ରଙ୍କ ତତ୍ୱାବଧାନରେ ରାଜ୍ୟ ସଂଗୀତ ଗାନ କରାଯାଇଥିବା ବେଳେ ଲେଖନପୁରଠାରେ ଅବସ୍ଥିତ ଜରାଶ୍ରମ ସମର୍ପଣ ପରିସରରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ତତ୍ୱାବଧାନରେ ଅନ୍ତେବାସୀଙ୍କ ସହ ସଂଗୀତ ଗାନ କରାଯାଇଛି । ସେହିଭଳି ଜିଲ୍ଲାର ସମସ୍ତେ ପଂଚାୟତ, ଗାଁ ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ରାଜ୍ୟ ସଂଗୀତ ଗାନ୍ କରାଯାଇଛି ।






