ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଛାତ୍ରଛାତ୍ରୀ ଏଣିକି ସ୍ନାତକ ସ୍ତରରେ ମଧ୍ୟ ଇଣ୍ଟର୍ଣ୍ଣସିପ୍ ଅଧ୍ୟୟନ କରିବେ। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଗୁରୁତ୍ୱ ଦେଇଛି। ନୂଆ ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରାଯିବାକୁ ଥିବାବେଳେ ଏ ସମ୍ପର୍କିତ ସବିଶେଷ ମାର୍ଗଦର୍ଶିକା ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ୟୁଜସି ପକ୍ଷରୁ ସୂଚନା ଦିଆଯାଇଛି। ନୂତନ ଶିକ୍ଷା ନୀତି ୨୦୨୦ରେ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଥିବାବେଳେ +୩ର ଛାତ୍ରଛାତ୍ରୀ ମଧ୍ୟ ଏଣିକି ଇଣ୍ଟର୍ଣ୍ଣସିପ୍ କରିବେ। ଇଣ୍ଟର୍ଣ୍ଣସିପ୍କୁ ସ୍ନାତକରେ ବାଧ୍ୟତାମୂଳକଭାବେ ଲାଗୁ କରାଯିବ। ଯୁକ୍ତ ତିନିର ଛାତ୍ରଛାତ୍ରୀ ଶେଷ ବର୍ଷରେ ଅତିକମରେ ୮ରୁ ୧୦ ସପ୍ତାହର ଇଣ୍ଟର୍ଣ୍ଣସିପ୍ କରିବେ। ଯାହାକି ପିଲାଙ୍କୁ ପ୍ରାକ୍ଟିକାଲ୍ ଶିକ୍ଷାରେ ଦକ୍ଷ କରିବ। ତେବେ ନୂତନ ଭାବରେ ପ୍ରକାଶିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଇଣ୍ଟର୍ଣ୍ଣସିପ୍ କାର୍ୟ୍ୟକ୍ରମ ମୁଖ୍ୟତ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ପାଇଁ ଦକ୍ଷ କରାଇବାରେ ସହାୟକ ହେବ। ଏହା ସହ ସେମାନଙ୍କ ମଧ୍ୟରେ ଗବେଷଣା କ୍ଷମତା ବିକାଶରେ ମଧ୍ୟ ସାହାଯ୍ୟ କରିବ ବୋଲି ୟୁଜିସିର ଅଧ୍ୟକ୍ଷ ପ୍ରଫେସର ଏମ ଜଗଦେଶ କୁମାର କହିଛନ୍ତି।





