ଭୁବନେଶ୍ଵର, (ବାଘୁଆବାର୍ତ୍ତା): ୧୮ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ। ଦିନ ୧୦ଟା ବେଳେ ବୋର୍ଡ କାର୍ୟ୍ୟାଳୟରେ ମାଟ୍ରିକ୍ ଫଳ ପ୍ରକାଶ ପାଇବ। ଦିନ ୧୨ଟାରେ ୱେବସାଇଟ୍ରେ ଉପଲବ୍ଧ ହେବ ମାର୍କ। ମଙ୍ଗଳବାର ମାଧ୍ୟମିକ ଶିକ୍ଷା ପରିଷଦ ମାଟ୍ରିକ୍ ରେଜଲ୍ଟ ତାରିଖ ଘୋଷଣା କରିଛି। ଏହି କାର୍ୟ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ବୋର୍ଡ କର୍ତ୍ତୃପକ୍ଷ ଉପସ୍ଥିତ ରହିବେ। ଚଳିତ ବର୍ଷ ମାଟ୍ରିକ୍ ରେଗୁଲାର, ଏକ୍ସରେଗୁଲାର ସହ ଏସ୍ଓଏସ୍ସି ଓ ମଧ୍ୟମା ପରୀକ୍ଷା ମିଶି ରାଜ୍ୟରେ ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ୩ ହଜାର ୨୧୮ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାର ମୂଲ୍ୟାୟନ ଏପ୍ରିଲ୍ ୩ ତାରିଖରୁ ଆରମ୍ଭ ହୋଇ ୧୨ ଦିନ ଚାଲିଥିଲା । ତେବେ ଖାତା ଦେଖା କାର୍ୟ୍ୟ ଶେଷ ହେବା ପରେ ଏବେ ପ୍ରୋସେସିଂ ଏବଂ ଟାବୁଲେସନ୍ କାର୍ୟ୍ୟ ଚାଲିବା ମଧ୍ୟରେ ଅନେକ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାରେ ତାଳମେଳ ନଥିବା ଦେଖିବାକୁ ମିଳିଥିଲା । କିଛି ପରୀକ୍ଷାର୍ଥୀ ଏସ୍ଏ-୧ ପରୀକ୍ଷାରେ ତୃତୀୟ ଭାଷା ହିନ୍ଦୀରେ ପରୀକ୍ଷା ଦେଇଥିବା ବେଳେ ଏସ୍ଏ-୨ରେ ସଂସ୍କୃତରେ ପରୀକ୍ଷା ଦେଇଥିଲେ । ଏପରି ପ୍ରାୟ ୫ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ହିନ୍ଦୀ ଏବଂ ସଂସ୍କୃତ ପରୀକ୍ଷାରେ ଏସ୍ଏ-୧, ଏସ୍ଏ-୨ ଏବଂ ୪ଟି ଯାକ ଫର୍ମେଟିଭ୍ ଆସେସମେଣ୍ଟ୍ ପରୀକ୍ଷାରେ ଅସାମଞ୍ଜସ୍ୟ ରହିଥିଲା । ଫଳରେ ଏହାକୁ ନେଇ ପ୍ରୋସେସିଂ ଏବଂ ଟାବୁଲେସନ୍ ଆଦି ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା । ଏସବୁ ତ୍ରୁଟିକୁ ସୁଧାରିବା ପରେ ବୋର୍ଡ କର୍ତ୍ତୃପକ୍ଷ ଫଳ ପ୍ରକାଶ କରିବା ପାଇଁ ଏବେ ଅନ୍ତିମ ପର୍ୟ୍ୟାୟରେ ପହଞ୍ଚିଛନ୍ତି ।





