ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରିଲିଜ ହେଲା ବହୁପ୍ରତିକ୍ଷିତ ଓଡିଆ ଚଳଚ୍ଚିତ୍ର ‘ଟି’ର ଟ୍ରେଲର । ଟ୍ରେଲର ରିଲିଜ ଅବସରରେ ଓଲିଉଡ ଜଗତର ଜଣାଶୁଣା ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ ଓ ସିନେ ସମୀକ୍ଷକ ଯୋଗଦେଇଥିଲେ । ଟ୍ରେଲର ଲୋକାର୍ପଣ ଉତ୍ସବରେ କିନ୍ନର ମେଘନା ସାହୁ, ମୀରା ପରିଡା, ଅଭିନେତା ଦେବାଶିଷ ସାହୁ, ରଣବୀର କଲସୀ ବି ଯୋଗଦେଇଥିଲେ । ଆସନ୍ତା ୨୫ ତାରିଖରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ । କିନ୍ନରଙ୍କ ସଂଘର୍ଷମୟ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ । ଫିଲ୍ମ ‘ଟି’କୁ ୟୁ/ଏ ସାର୍ଟିଫିକେଟ ମିଳିବା ପରେ ପ୍ରଯୋଜନା ସଂସ୍ଥା ଓ ଦର୍ଶକ ବେଶ୍ ଖୁସି । ପାନୋରମା ମ୍ୟୁଜିକ ଓ ଷ୍ଟୁଡିଓ ‘ଟି’ ସହିତ ମିଳିତ ପ୍ରଚାର ପ୍ରସାର କରୁଛନ୍ତି । ପୂର୍ବରୁ ପ୍ରଯୋଜନା ସଂସ୍ଥାକୁ ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଶଂସା କରାଯାଇଛି । ବିଜେଡି ନେତା ଅରୁପ ପଟ୍ଟନାୟକ ଟ୍ରେଲର ଦେଖି ଭାବବିହ୍ୱଳ ହେବା ସହ ଏହି ଫିଲ୍ମକୁ ନିହାତି ଦେଖିବା ଦରକାର ବୋଲି କହିଛନ୍ତି । ନିର୍ଦ୍ଦେଶକ ଜିତେଶ କୁମାର ପରିଡା ଫିଲ୍ମଟି ସମସ୍ତଙ୍କ ମନକୁ ଛୁଇଁବ ବୋଲି କହିଛନ୍ତି ।






