ନୟାଗଡ଼, (ବାଘୁଆବାର୍ତ୍ତା): କରୋନା ମହାମାରୀ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୧୬ ଶହ ଛୁଇଁଛି । ସେହିଭଳି ଭାବେ ନୟାଗଡ଼ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୦ରେ ପହଂଚିଛି । ନୟାଗଡ଼ ଜିଲ୍ଲାରୁ ପୁଣି ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ରଣପୁର ବ୍ଲକ ସୁନାଖଳା ନରେନ୍ଦ୍ରପୁର ସଂଗରୋଧ କେନ୍ଦ୍ରରୁ ଦୁଇ ଜଣ ରହିଥିବା ନେଇ ସୂଚନା ମିଳିଛି । ସୂଚନାନୁସାରେ, ଏହି ଆକ୍ରାନ୍ତ ଦୁଇ ସ୍ୱାମୀ ଓ ସ୍ତ୍ରୀ । ଉଭୟ ୧୨ ଦିନ ହେବ ସଂଗରୋଧରେ ରହିଥିବା ବେଳେ ରଣପୁର ବ୍ଲକ ଆମ୍ବଝର ଗ୍ରାମରେ ଉଭୟଙ୍କ ଘର ବୋଲି ଜଣାଯାଇଛି । ଗତକାଲି ରାତିରେ ଏନେଇ ଜିଲ୍ଲାକୁ ସୂଚନା ମିଳିବା ପରେ ଆକ୍ରାନ୍ତ ଦୁଇ ଜଣଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଭୂବନେଶ୍ୱର କୋଭିଡ୍ ହସ୍ପିଟାଲ୍ ସ୍ଥାନାନ୍ତରିତ କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଏହି ସଂଗରୋଧ କେନ୍ଦ୍ରକୁ ବିଶୋଧନ କରଯାଇଥିବା ବେଳେ ଏହି ଆକ୍ରାନ୍ତଙ୍କୁ ମିଶାଇ ରଣପୁର ବ୍ଲକ ଅଂଚଳରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ସେହିଭଳି ନୟାଗଡ଼ ବ୍ଲକରେ ୧୧, ଓଡ଼ଗାଁ ବ୍ଲକରୁ ୨୬, ଦଶପଲ୍ଲା ୪ ଓ ଗଣିଆ ବ୍ଲକରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି ।






