ବାଲୁଗାଁ, (ବାଘୁଆବାର୍ତ୍ତା): ଜମି ଦେବା ନାଁରେ ୧୫ ଲକ୍ଷ ଟଙ୍କାର ଠକେଇ। ଅଭିଯୁକ୍ତକୁ ଗିରଫ କଲା ଖଲ୍ଲିକୋଟ ପୁଲିସ। ବାଲୁଗାଁ ଥାନା ଅନ୍ତର୍ଗତ ଘୁମୁଶର ପଦର ଗ୍ରାମର ମୁରଲୀଧର ତରେଇ ଖଲ୍ଲିକୋଟ ଥାନା ଲଙ୍ଗଳେଶ୍ୱର ଗ୍ରାମର ଲକ୍ଷ୍ମୀନାରାୟଣ ସାହୁଙ୍କ ପରିବାର ସହ ପ୍ରଥମେ ସୁସମ୍ପର୍କ ସ୍ଥାପନ କରିଥିଲେ। ପରେ ମୁରଲୀଧର ପୁଅ ଇଞ୍ଜିନିୟରିଂ ପାଠ ପଢ଼ା ଏବଂ ଝିଅ ବାହାଘର ବାବଦକୁ ଟଙ୍କା ଦରକାର ଅଛି କହି ଲକ୍ଷ୍ମୀନାରାୟଣଙ୍କୁ ଟଙ୍କା ମାଗିଥିଲେ। ଏହା ବଦଳରେ ଜାଗା ଦେବେ ବୋଲି କହିଥିଲେ। ତାଙ୍କ କଥାରେ ବିଶ୍ୱାସ କରି ଲକ୍ଷ୍ମୀନାରାୟଣ ଗତ ୨୦୨୧ ମାର୍ଚ୍ଚ ୧୩ ତାରିଖରେ ୧୫ ଲକ୍ଷ ଟଙ୍କା ଦେଇ ଏଗ୍ରିମେଣ୍ଟ କରିଥିଲେ। ତା’ପରଠାରୁ ଜମି ରେଜିଷ୍ଟ୍ରେସନ କରିବାକୁ କହିଲେ ନାନା ବାହାନା ଦେଖାଇ ସମୟ ଗଡ଼ାଇ ଚାଲୁଥଲେ ମୁରଲୀଧର। ଏସମ୍ବନ୍ଧରେ ଗ୍ରାମର କିଛି ଭଦ୍ର ବ୍ୟକ୍ତିଙ୍କୁ ସାଙ୍ଗରେ ନେଇ ଲକ୍ଷ୍ମୀନାରାୟଣ ବାଲୁଗାଁ ନିକଟସ୍ଥ ମୁରଲୀଧରଙ୍କ ଗ୍ରାମକୁ ଯାଇଥିଲେ। ସେଠାରେ ମୁରଲୀଧରଙ୍କ ପରିବାର ଲୋକେ ସେମାନଙ୍କୁ ନାନା ଧମକ ଦେଇ ଗାଁରୁ ତଡ଼ିଦେଲେ। ଶେଷରେ ଅନ୍ୟ ଉପାୟ ନପାଇ ଲକ୍ଷ୍ମୀନାରାୟଣ ଭେଜିପୁଟ ଫାଣ୍ଡିରେ ଏତଲା ଦାଖଲ କରିଥିଲେ। ଅଭିଯୋଗ ପାଇ ଖଲ୍ଲିକୋଟ ଥାନାରେ କେସ୍ ନଂ-୩୪୪/୨୦୨୩ରେ ମାମଲା ରୁଜୁ ହୋଇଥିଲା। ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ସୋମବାର ଏତଲାକୁ ଭିତ୍ତିକରି ବାଲୁଗାଁ ଘୁମୁସର ପଦର ଗ୍ରାମକୁ ଯାଇ ପରିବାର ଲୋକଙ୍କ ପ୍ରବଳ ବିରୋଧ ସତ୍ତ୍ୱେ କୌଶଳ କ୍ରମେ ମୁରଲୀଧର ତରେଇକୁ ଉଠାଇ ଆଣିଥିଲେ ଫାଣ୍ଡି ଅଧିକାରୀ। ପରେ ଅଭିଯୁକ୍ତ ମୁରଲୀଧର ତରେଇକୁ ବିଭିନ୍ନ ଦଫାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି।





