ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକ ସହରରେ ବିଭିନ୍ନ ସ୍ଥାନରୁ ଛୀନତାଇ କରିବା ସହ ମୋଟରସାଇକେଲ ଡିକି ଭାଙ୍ଗି ଟଙ୍କା ଲୁଟ କରି ଫେରାର ହୋଇଯାଉଥିବା ଲୁଟେରା ମାନଙ୍କୁ ଶେଷରେ ଭଦ୍ରକ ଟାଉନ ପୋଲିସ ଧରିବାରେ ସକ୍ଷମ ହୋଇଛି । ତେବେ ଭଦ୍ରକ ଟାଉନ ପୋଲିସ ମୋଟ ୪ ଜଣ ଲୁଟେରା ମାନଙ୍କୁ ଗିରଫ କରିଛି. ସେମାନଙ୍କ ମଧ୍ୟରୁ ୩ ଜଣ ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ନୂଆପଡା ଜିଲ୍ଲାରୁ ଗିରଫ କରାଯାଇଛି । ଏହି ଗିରଫ ହୋଇଥିବା ଲୁଟେରା ମାନଙ୍କ ଠାରୁ ପୋଲିସ ମୋଟ ୮୨ ହଜାର ଟଙ୍କା ଏବଂ ଗୋଟାଏ ମଟରସାଇକେଲ କୁ ମଧ୍ୟ ଜବତ କରିଛି । ସେହିପରି ସେମାନେ ବ୍ୟବହୃତ କରୁଥିବା ଗୋଟାଏ ଏକାଉଣ୍ଟ କୁ ସିଜ କରି ଅଧିକ ତଦନ୍ତ ଜାରି ରଖିବା ସହିତ ଲୁଟେରା ମାନଙ୍କୁ କୋର୍ଟ ଫରୱାର୍ଡ଼ କରାଯାଇଛି । ଗତ କିଛି ଦିନ ହେବ ଏହି ଲୁଟେରା ମାନେ ଭଦ୍ରକ ସହର ଓ ଚରମ୍ପା ଅଞ୍ଚଳରୁ ମହିଳା ମାନଙ୍କ ବେକ ରୁ ସୁନା ଚେନ ଛୀନତାଇ କରିବା ସହିତ କୌଶଳ କ୍ରମେ ମଟରସାଇକେଲ ଡ଼ିକି ଭାଙ୍ଗି ଟଙ୍କା ମଧ୍ୟ ଲୁଟି ନେଉଥିଲେ । ଏ ସମ୍ପର୍କରେ ବାରମ୍ବାର ଭଦ୍ରକ ଟାଉନ ପୋଲିସ ପାଖରେ ଅଭିଯୋଗ ହୋଇଥିଲା । ପୋଲିସ ଏହି ଘଟଣା କୁ ଗୁରୁତ୍ୱର ସହକାର ନେବା ସହ ଲୁଟେରା ମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରିଥିଲା । ଶେଷରେ ଏହି ସ୍ୱତନ୍ତ୍ର ପୋଲିସ ଟିମ ଏହି ଲୁଟେରା ମାନଙ୍କୁ ଧରିଥିଲା । ଏହି ଲୁଟେରା ମାନେ ହେଲେ ଧାମନଗର ଥାନା ନୂଆପଡା ଅଞ୍ଚଳର ରାଜେଶ ଦାସ, ଅମର ଦାସ, ଏବଂ ଭଣ୍ଡାରିପୋଖରୀ ଥାନା ସରସଦା ଅଞ୍ଚଳର ଗୋପୀ ଦାସ ଙ୍କୁ ଗିରଫ କରିଥିବା ବେଳେ ନୂଆପଡା ଜିଲ୍ଲା ଖରିଆଲ ଅଞ୍ଚଳରୁ ନବୀ ହୁସେନ ଙ୍କୁ ଗିରଫ କରିଛି । ଟାଉନ ପୋଲିସ ଗିରଫ କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ସିଟି ଡ଼ିଏସପି ।





