ବାଲେଶ୍ୱର, (ବାଘୁଆବାର୍ତ୍ତା): ବାଲେଶ୍ୱର ଜିଲ୍ଲାର ଖନ୍ତାପଡ଼ାଠାରୁ ରୁପ୍ସା ରାଜପଥ (୫ ଓ ୧୬ ନମ୍ବର)ରେ ଲୁଟ୍ କରୁଥିବା ୫ ଜଣ ରାଜପଥ ଲୁଟେରାଙ୍କୁ ସଦରଥାନା ପୁଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ଚୋରି ପିକ୍ ଅପ୍ ଭ୍ୟାନ୍, ବୁଲେଟ୍ ସମେତ ବହୁ ସାମଗ୍ରୀ ଉଦ୍ଧାର କରିଛି । ଏନେଇ ମଧ୍ୟାହ୍ନରେ ସଦର ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି ସାଗରିକା ନାଥ ଏହି ସୂଚନା ଦେଇଛନ୍ତି । ଗତ ମାସ ୨୮,୨୯ ତାରିଖରେ ସଦାରଥାନା, ଖନ୍ତାପଡ଼ା ଥାନାରେ ରାଜପଥରୁ ବୁଲେଟ ଓ ଏକ ଟାଟା ଏସି ଚୋରିହୋଇଥିବା ଅଭିଯୋଗ ଆସିଥିଲା । ଏହି ଅଭିଯୋଗର ତଦନ୍ତ କରି ପୁଲିସ ଏହି ରାଜପଥ ଲୁଟେରାଙ୍କ ସୁରାଖ ପାଇଥିଲା ।
ଏହି ଗ୍ୟାଙ୍ଗର ସାମିଲ ଲୁଟେରା ସଦର ଥାନା ଅନ୍ତର୍ଗତ ବାଙ୍ଗରା ଗ୍ରାମର ରିପୁନ ଜେନା, ଓଲନ୍ଦା ସାରଗାର ସୂର୍ୟ୍ୟକାନ୍ତ ଦାସ, ଟାଉନ ଥାନା ଅନ୍ତର୍ଗତ ଗୋପାଳଗାଁର ଗଜେନ୍ଦ୍ର ଦାସ, ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ବଡ଼ ନୂଆପୁରର ଧର୍ମେନ୍ଦ୍ର ପରିଡ଼ା, ଆକାଶ ଲେଙ୍କା । ଏମାନଙ୍କ ମଧ୍ୟରୁ ୫ ଜଣ ଧରାପଡ଼ିଥିବା ବେଳେ ଗ୍ୟାଙ୍ଗର ଅନ୍ୟ ୩ ଜଣ ଏବେବି ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ଛାନବିନ୍ ଆରମ୍ଭ ହୋଇଥିବା ଏସପି ସୂଚନା ଦେଇଛନ୍ତି । ଗିରଫ ଲୁଟେରାଙ୍କଠାରୁ ଟାଟା ଏସି, ବୁଲେଟ ସମେତ ଗୋଟିଏ ହୋଣ୍ଡା ଆକ୍ଟିଭା, ଏକ ସ୍କୁଟି, ୧୧ ଆଣ୍ଡ୍ରୋଏଡ୍ ମୋବାଇଲ, ୫ କିପେଡ୍ ମୋବାଇଲ, ଗୋଟିଏ ଟ୍ୟାବଲେଟ୍, ୨ପେନ ଡ୍ରାଇଭ, କିଛି ଏଟିଏମ କାର୍ଡ, ୪ ମନିପର୍ସ ଉଦ୍ଧାର କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଦର ଏସଡିପିଓ ଶଶାଙ୍କ ବେଉରା, ସଦର ଆଇଆଇସି ଜୟନ୍ତ ବେହେରା ଉପସ୍ଥିତ ଥିଲେ ।





