ନୟାଗଡ଼, (ବାଘୁଆବାର୍ତ୍ତା): କରୋନା ମହାମାରୀ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୧୩ ଶହ ଏବଂ ନୟାଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ରେ ପହଂଚିଛି । ଜିଲ୍ଲାକୁ ପ୍ରବାସୀଙ୍କ ଫେରିବା ସଂଖ୍ୟା ଯେଉଁ ମାତ୍ରାରେ ବଢ଼ୁଛି, ସେହି ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ୧୫ ଦିନ ତଳେ ଜିଲ୍ଲାରେ ଜଣେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିବା ବେଳେ ଆଜିକା ଦିନରେ ନୟାଗଡ଼ ଆକ୍ରାନ୍ତ ସଂଖ୍ୟା ଦୃଷ୍ଟିରୁ ୮ନଂ ସ୍ଥାନରେ ରହିଛି । ଓଡ଼ିଶାରେ ସର୍ବାଧିକ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରେ ୩୪୮ ରହିଥିବା ବେଳେ ଦ୍ୱିତୀୟ ସର୍ବାଧିକ ଯାଜପୁର ଜିଲ୍ଲାରେ ୨୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ବାଲେଶ୍ୱର ଜିଲ୍ଲାରେ ଏହି ସଂଖ୍ୟା ୧୨୮, ଭଦ୍ରକ ଜିଲ୍ଲାରେ ୯୮, ପୁରୀ ୮୧, ଖୋର୍ଦ୍ଧା ୭୭, କଟକ ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାର ଆକ୍ରାନ୍ତ ସଂଖ୍ୟା ୪୫ରେ ପହଂଚିଛି । ଫଳରେ ଓଡ଼ିଶାର ୮ନଂ ସ୍ଥାନରେ ନୟାଗଡ଼ ରହିଥିବା ଜଣାଯାଇଛି । ଅନ୍ୟପକ୍ଷେ ଜିଲ୍ଲାର ୮ଟି ବ୍ଲକରୁ ୫ଟି ବ୍ଲକରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି । ସୂଚନାନୁସାରେ, ଗଣିଆ ବ୍ଲକରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦଶପଲ୍ଲାରୁ ୪, ରଣପୁର ୩, ନୟାଗଡ଼ରୁ ୧୧ ଏବଂ ଓଡ଼ଗାଁ ବ୍ଲକରୁ ସର୍ବାଧିକ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଚିହ୍ନଟ ହୋଇଥିବା ସମସ୍ତ କରୋନା ଆକ୍ରାନ୍ତ ବାହାର ରାଜ୍ୟରୁ ଫେରି ସଂଗରୋଧରେ ରହିଥିଲେ ।





