ମାଲକାନଗିରି, (ବାଘୁଆବାର୍ତ୍ତା): ଗିରଫ ହେଲେ ନକଲି ମାନବ ଅଧିକାର ସଦସ୍ୟ । ନିଜକୁ ଆନ୍ତର୍ଜାତୀୟ ମାନବ ଅଧିକାର ସଦସ୍ୟ କହି ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି । ଘଟଣାରେ ସାମିଲ ଥିବା ଅନ୍ୟ ଦୁଇ ଜଣ ମହିଳାଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି ମାଲକାନଗିରି ଆଦର୍ଶ ଥାନା ପୋଲିସ । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମ.ଭି. ୪୯ ଗ୍ରାମର ହର କର୍ମକାରଙ୍କ ଝିଅ କିଛି ଦିନ ତଳେ କୌଣସି ଏକ କାରଣରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ହେଲେ ଗାଁ ଲୋକେ ପୋଲିସକୁ କିଛି ନ ଜଣାଇ ରାତାରାତି ଯୁବତୀଙ୍କ ଅନ୍ତିମ ସଂସ୍କାର କରିଦେଲେ । ତେବେ ଏହି ଘଟଣା ସମ୍ପର୍କରେ କୌଣସି ଏକ ସୂତ୍ରରୁ ଖବର ପାଇ କିଛି ଲୋକ ଏମ.ଭି. ୪୯ ଗାଁରେ ପହଞ୍ଚି ନିଜକୁ ମାନବ ଅଧିକାର କର୍ମୀ ଭାବେ ପରିଚୟ ଦେଇଥିଲେ । ଏମିତି କି ମୃତ ଯୁବତୀଙ୍କ ବାପା ମାଆଙ୍କୁ ଗୋଟିଏ ଘରେ ଅଟକ ରଖିବା ସହ ଘଟଣାକୁ ଚପାଇ ଦେବାଲାଗି ଗାଁ ଲୋକଙ୍କଠାରୁ ୨ ଲକ୍ଷ ଟଙ୍କା ମାଗିଥିଲେ । ଟଙ୍କା ନଦେଲେ ଗାଁ ଲୋକଙ୍କ ନାମରେ ହତ୍ୟା ମାମଲା ରୁଜୁ କରାଯିବ ବୋଲି କହିଥିଲେ । ହେଲେ ଗାଁ ଲୋକେ ଭୟଭୀତ ନହୋଇ ଥାନାରେ ଆସି ଅଭିଯୋଗ କରିଥିଲେ । ମାଲକାନଗିରି ଆଦର୍ଶ ଥାନା ପୋଲିସ ଏତଲା ରୁଜୁ କରିବା ସହ ଘଟଣାର ତଦନ୍ତ କରି ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଗିରଫ କରିଛି ।





