ଭୂବନେଶ୍ୱର,(ବାଘୁଆବାର୍ତ୍ତା): ଅମ୍ଫାନ ବାତ୍ୟାରେ କ୍ଷତିଗ୍ରସ୍ତ ବିଦ୍ୟୁତ ସେବାକୁ ସ୍ୱାଭାବିକ କରିବା ପାଇଁ ଯେଉଁ କର୍ମଚାରୀମାନେ ଦିନରାତି ଅବିରତ ଭାବେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଶକ୍ତିମନ୍ତ୍ରୀ କ୍ୟାପ୍ଟେନ୍
ଦିବ୍ୟ ଶଙ୍କର ମିଶ୍ର ଭୂୟସୀ ପ୍ରଶଂସା କରିଛନ୍ତି । ଗତକାଲି ଏକ ଭିଡ଼ିଓ ବାର୍ତ୍ତା ପ୍ରଦାନ କରି ସେ ଏହା କହିଛନ୍ତି । ଏଥି ସହିତ ବାତ୍ୟା ଭଳି ଏକ ସଙ୍କଟମୟ ପରିସ୍ଥିତିରେ ସମସ୍ତ ପ୍ରସ୍ତୁତି ପାଇଁ
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟକୁ ଯେଉଁ ଉତ୍କର୍ଷ ନେତୃତ୍ୱ ପ୍ରଦାନ କରିଛନ୍ତି ତାହା ତାଙ୍କ ଦୂରଦର୍ଶିତାକୁ ପ୍ରତିପାଦିତ କରୁଛି ବୋଲି ସେ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି
ଭିଡ଼ିଓ ବାର୍ତ୍ତାରେ ସେ କହିଛନ୍ତି ଯେ, ପ୍ରାୟ ୨୬-୨୭ ଲକ୍ଷ ସେସୁ, ୧୬ ଲକ୍ଷ ନେସ୍କୋ ଏବଂ ୨ ଲକ୍ଷ ସାଉଥ୍କୋ ବିଦ୍ୟୁତ ଉପଭୋକ୍ତା ଅମ୍ଫାନ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଗତକାଲି ରାତି
ମଧ୍ୟରେ ହିଁ ସମସ୍ତ ଅତ୍ୟାବଶ୍ୟକୀୟ ସେବାଗୁଡ଼ିକ ପାଇଁ ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରାଯାଇଥିଲା । ସେ ଏହି ପରିପ୍ରେକ୍ଷୀରେ କହିଥିଲେ ଯେ, ଯେତେବେଳେ ଏତେ ବୃହତ୍
ସଂଖ୍ୟାରେ ଲୋକ କ୍ଷତିଗ୍ରସ୍ତ ହୋଇଥାନ୍ତି ସେ କ୍ଷେତ୍ରରେ ପୁନରୁଦ୍ଧାର ସହଜ ହୋଇନଥାଏ । ସେ ଯାହାହେଉ ଆମର ପ୍ରସ୍ତୁତି ଏବଂ କାର୍ଯ୍ୟକୌଶଳ ବାତ୍ୟା ପୂର୍ବରୁ ଏବଂ ପରେ ଆମକୁ ଯଥେଷ୍ଟ
ସାହାଯ୍ୟ କରିଛି ବୋଲି ସେ କହିଥିଲେ । ପ୍ରଥମ ଥର ପାଇଁ ଆମେ ସୂର୍ଯ୍ୟ ଉଦୟ ବେଳକୁ ପୁନରୁଦ୍ଧାର କାର୍ଯ୍ୟ କରିବାରେ ସକ୍ଷମ ହୋଇଛୁ, ଫଳରେ ଆଜି ସୁଦ୍ଧା ୮୦ ଶତକଡ଼ା ସେସୁ
ଅନ୍ତର୍ଗତ କାର୍ଯ୍ୟ ଶେଷ ହୋଇ ଲୋକଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇ ପାରିଛି । ନେସ୍କୋ ଅଧୀନରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି ଏବଂ ଟିମ୍ଗୁଡ଼ିକୁ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ପ୍ରେରଣ
କରାଯାଇଛି । ୧୫୮ଟି ଗ୍ୟାଙ୍ଗକୁ ନେଇ ଆସନ୍ତା ଦୁଇଦିନ ମଧ୍ୟରେ ବିଭାଗ ୯୦-୯୫ ଶତକଡ଼ା କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବା ଲକ୍ଷ୍ୟ ଧାର୍ଯ୍ୟ କରିଛି ଏବଂ ସପ୍ତାହକ ମଧ୍ୟରେ ସଂପୂର୍ଣ୍ଣ କାର୍ଯ୍ୟ ସାରିବାକୁ
ସ୍ଥିର କରାଯାଇଛି ବୋଲି କ୍ୟାପ୍ଟେନ୍ ମିଶ୍ର ପ୍ରକାଶ କରିଛନ୍ତି । ସେ ମଧ୍ୟ ରାଜ୍ୟରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ଦିଗରେ ଓଡ୍ରାଫ୍, ଏନ୍ଡିଆର୍ଏଫ୍, ଅଗ୍ନିଶମ ସେବା ବିଭାଗଗୁଡ଼ିକର
କାର୍ଯ୍ୟକୁ ବେଶ୍ ପ୍ରଶଂସା କରିଛନ୍ତି ।






