ଝାରସୁଗୁଡା,(ବାଘୁଆବାର୍ତ୍ତା): ଝାରସୁଗୁଡା ଜିଲ୍ଲାରେ ଆଜି ତୃତୀୟ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେ ମଙ୍ଗଳବଜାର ଅଂଚଳର ଜଣେ ୫ ବର୍ଷର ଶିଶୁ(ବାଳକ) ବୋଲି ଜଣା ପଡିଛି । ସେମାନେ ସପରିବାର ଗତ ୧୬ ତାରିଖରେ ଆଗ୍ରାରୁ ଝାରସୁଗୁଡାକୁ ଫେରିଥିବା ଜଣାପଡିଛି । ସେମାନେ ଆଗ୍ରାରୁ ଫେରିଲା ପରେ ସମସ୍ତଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖଯାଇ ସ୍ୱାବ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ଆଜି ଏହି ୫ ବର୍ଷ ଶିଶୁର କୋଭିଡ ପୋଜିଟିଭ ରିପୋର୍ଟ ଆସିଛି । ଜିଲ୍ଲାର ଏହି ତୃତୀୟ କୋରନା ଆକ୍ରାନ୍ତ ଜଣକ ଜଣେ ଛୋଟ ଛୁଆ ହୋଇଥିବାରୁ ତାଙ୍କୁ ଝାରସୁଗୁଡା କୋଭିଡ ହସ୍ପିଟାଲରେ ରଖି ଚିକିତ୍ସା କରାଯିବା ବା ରାଉରକୋଲା କୋଭିଡ ହସ୍ପିଟାଲକୁ ପଠାଯିବ ଅଥବା ଘରେ ଚିକିତ୍ସା ସେବା ଯୋଗାଇ ଦିଆଯିବ ସେନେଇ ଖବର ଲେଖିବା ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଏହି କୋରନା ସଂକ୍ରମିତ ଶିଶୁଙ୍କୁ କେଉଁଠି ରଖି ଚିକିତ୍ସା କରାଯିବ ସେ ନେଇ ଜିଲ୍ଲାପଳ ରାଜ୍ୟ ସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କଲା ପରେ ଜଣା ପଡିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ କହିଛନ୍ତି । ତେବେ ଏହି ଶିଶୁ ଓ ତାଙ୍କ ପରିବାରବର୍ଗଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନଜର ରଖାଯାଇଛି ।






