ମୟୁରଝାଲିଆ ଖଣି ଉପରେ ଏନଜିଟି ଚୁଡ଼ାନ୍ତ ରାୟ
ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ତହସିଲ ମୟୁରଝାଲିଆ ମୌଜାରେ ବେଆଇନ ମାଙ୍କଡ଼ା ପଥର ଓ ମୋରମ ଖନନ ସଂପର୍କୀତ କେସ ବାବଦରେ ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣ(ଏନଜିଟି)ଙ୍କର ଚୁଡ଼ାନ୍ତ ରାୟ ଗତ ୧୮ ତାରିଖ ଦିନ ପ୍ରକାଶ ପାଇଛି । ଡିସେମ୍ବର ୬ ତାରିଖରେ ଜିଲ୍ଲାପାଳ ଦାଖଲ କରିଥିବା ଜବାବି ସତ୍ୟପାଠକୁ କୋର୍ଟ ଗ୍ରହଣ କରି ସେହି ପ୍ରକାରେ ଲିଜ୍ଧାରୀ, ଅନ୍ୟଜଣେ ବ୍ୟକ୍ତି ଏବଂ ଏଥିରେ ସଂପୃକ୍ତ ଥିବା ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଦୁଇମାସ ମଧ୍ୟରେ ଫୌଜଦାରୀ ମୋକଦ୍ଦମା ରୁଜ୍ଜୁ କରିବା ସହ କ୍ଷତି ଭରଣା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଲିଜ୍ଧାରୀ ଜିଲ୍ଲାପାଳଙ୍କ ନାମରେ ଆଣିଥିବା ଅଭିଯୋଗକୁ କୋର୍ଟ ଗ୍ରହଣ କରିନାହାଁନ୍ତି । ମୟୁରଝାଲିଆ ମୌଜାର ୧୬୮୯ ପ୍ଲଟରୁ ଏ.୪.୦୦ ମାଙ୍କଡ଼ା ପଥର ଖଣି ପାଇଁ ସୁଶାନ୍ତ କୁମାର ବରାଡ଼ଙ୍କୁ ୫ ବର୍ଷିଆ ଲିଜ୍ ସୂତ୍ରରେ ଦିଆଯାଇଥିଲା । ସେହିଭଳି ଅଗ୍ରଓାଲ ଇନଫ୍ରାବିଲ୍ଡ ପ୍ରାଇଭେଟ୍ ଲିମିଟେଡକୁ ସାଧାରଣ ମାଟି ଖନନ ଓ ପରିବହନ ନିମନ୍ତେ ଉକ୍ତ ପ୍ଲଟରୁ ଏ.୨.୦୦ ସାମୟିକ ପରମିଟ୍ ଦିଆଯାଇଥିଲା । ସେମାନେ ଉକ୍ତ ପ୍ଲଟର ଅନ୍ୟାନ୍ୟ ଜାଗାରୁ ବେଆଇନ ଭାବେ ମାଙ୍କଡ଼ା ପଥର ଓ ମୋରମ ଚାଲାଣ କରିବା ସହ ଗ୍ରାମ୍ୟ ଜଙ୍ଗଲ ନଷ୍ଟ କରୁଥିବା ବାବଦରେ ଜାତୀୟ ସବୁଜ ନ୍ୟାୟାଧିକରଣ କୋଲକାତାଙ୍କ ନିକଟରେ ଦିଲ୍ଲିପ କୁମାର ସାମନ୍ତରାୟ ଓ ଦିପକ କୁମାର ରାଉତରାୟ ମାମଲା ନଂ-ଓଏ ୮୩/୨୦୨୨୨ ଅଭିଯୋଗ ଦାଖଲ କରିଥିଲେ ।

ଏ ସଂପର୍କରେ ବିଚାର କରାଯାଇ ବେଆଇନ ଖଣି ଖନନ କରି ଚୋରା ଚାଲାଣ କରିଥିବା ସୁଶାନ୍ତ କୁମାର ବରାଡ଼ ଓ ଇନଫ୍ରାବିଲ୍ଡ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଶଶାଙ୍କ ଅଗ୍ରଓାଲଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କ ବିରୁଦ୍ଧରେ ଓଏମଏମସି ନିୟମ ୨୦୧୬ ଧାରା ୫୧ ଅନୁଯାୟୀ ଫୌଜଦାରୀ ମୋକଦ୍ଦମା ଦୁଇମାସ ମଧ୍ୟରେ ଦାଏର କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏତଦବ୍ୟତୀତ ପରିବେଶ କ୍ଷତି ଭରଣା ସଂପର୍କରେ ହିସାବ କରି ବେଆଇନ ଖନନକାରୀ ଦ୍ୱୟଙ୍କ ଠାରୁ ଦୁଇମାସ ମଧ୍ୟରେ କ୍ଷତିପୂରଣ ଅସୁଲ କରିବା ପାଇଁ ଏସଇଆଇଏଏ ଓଡ଼ିଶାଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ତତ୍କାଳୀଣ ତହସିଲଦାର ଯୁଗଳ କିଶୋର ମିଶ୍ର, ସଂଜୟ କୁମାର ସାମନ୍ତରାୟ, ଅତିରିକ୍ତ ତହସିଲଦାର ଅଶୋକ କୁମାର ପଟ୍ଟନାୟକ ଏବଂ ସଂପୃକ୍ତ ରାଜସ୍ୱ ନିରୀକ୍ଷକ, ରାଜସ୍ୱ ପରିଦର୍ଶକ, ଉପବିଭାଗ ଅଧିକାରୀ ଓ ବରିଷ୍ଠ ରାଜସ୍ୱ ସହାୟକମାନଙ୍କ ବିରୁଦ୍ଧରେ ମଧ୍ୟ ଫୌଜଦାରୀ ମୋକଦ୍ଦମା ଦୁଇମାସ ମଧ୍ୟରେ ଦାଏର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋର୍ଟଙ୍କ ଆଦେଶକୁ ତୁରନ୍ତ ଅନୁପାଳନ ନିମନ୍ତେ ଜିଲ୍ଲାପାଳ ଓ ରଣପୁର ତହସିଲାଦରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।





