ଢେଙ୍କାନାଳ, (ବାଘୁଆବାର୍ତ୍ତା): ଜାଲ ସାର୍ଟିଫିକେଟ ଘଟଣା ରାଜ୍ୟରୁ ଥମିନଥିବା ବେଳେ ଢେଙ୍କାନାଳରେ ଜିଲ୍ଲାପାଳଙ୍କ ଦସ୍ତଖତ ଜାଲ ହୋଇଥିବା ସାମ୍ନାକୁ ଆସିଛି । ଜଣେ ରାଜସ୍ୱ ନିରୀକ୍ଷକ(ଆର୍ଆଇ) ଜିଲ୍ଲାପାଳଙ୍କ ଦସ୍ତଖତକୁ ଜାଲ୍ କରି ନିଜ ସିସିଆର୍ ନିଜେ ପ୍ରସ୍ତୁତି କରିଥିବା ଜଣାପଡ଼ିଛି । ୨୦୧୮ ମସିହାରେ ତତ୍କାଳୀନ ଜିଲ୍ଲାପାଳଙ୍କ ଅଭିଯୋଗକୁ ଭିତି କରି ରୁଜ୍ଜୁ ହୋଇଥିବା ମାମଲାରେ ଆଜି ଟାଉନଥାନା ପୁଲିସ କାମାକ୍ଷାନଗର ଆରଆଇ ବିଶ୍ୱନାଥ ପ୍ରଧାନଙ୍କୁ ଉଠାଇଆଣି ପଚରାଉଚରା ଚଳାଇଛି । ପୁଲିସ ସୂତ୍ରରୁ ପ୍ରକାଶଯେ, ଆର୍ଆଇ ଶ୍ରୀ ପ୍ରଧାନ ୨୦୧୪ ମସିହାରୁ ୨୦୧୭ ମସିହା ପର୍ୟ୍ୟନ୍ତ ଗଁଦିଆ ଓ ଭୁବନରେ ଆର୍ଆଇ ଭାବେ କାର୍ୟ୍ୟ କରିଥିଲେ । ଏହି ୩ ବର୍ଷର ନିଜ ସିସିଆର୍ ସେ ନିଜେ ପ୍ରସ୍ତୁତ କରିଥିଲେ । ଯେଉଁଥିରେ ସେତେବେଳେ ଜିଲ୍ଲାପାଳ ଥିବା ଆଇଏଏସ ରୂପାରାସନ ସାହୁଙ୍କ ଦସ୍ତଖତକୁ ଜାଲ୍ କରି ସିସିଆର୍ ପ୍ରସ୍ତୁତ କରିଥିଲେ । ୨୦୧୭ରେ ଜିଲ୍ଲାପାଳ ଶ୍ରୀମତୀ ସାହୁଙ୍କ ବଦଳି ପରେ ଭୁପେନ୍ଦ୍ର ସିଂ ପୁନିଆ ଜିଲ୍ଲାପାଳ ଭାବେ ଯୋଗଦେଇଥିଲେ । ୨୦୧୮ ମସିହାରେ ଉକ୍ତ ଆର୍ଆଇଙ୍କ ସିସିଆର୍ ଦେଖିବା ବେଳେ ପୂର୍ବତନ ଜିଲ୍ଲାପାଳ ଶ୍ରୀମତୀ ସାହୁଙ୍କ ଦସ୍ତଖତକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ । ପରେ ତାହା ଜାଲ୍ ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ଜିଲ୍ଲାପାଳ ଭୁପେନ୍ଦ୍ର ସିଂ ପୁନିଆ ୨୦୧୮ ମସିହାରେ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଟାଉନ୍ ଥାନା ପୁଲିସ ୧୦୧/୨୦୧୮ରେ ଏକ ମାମଲା ରୁଜୁ କରିଥିଲା । ଯାହା ଦୀର୍ଘ ବର୍ଷ ହେଲା ପଡ଼ି ରହିଥିଲା । ଟାଉନ ପୁଲିସ ଏହି ମାମଲାର ତନାଘନା କରିବା ସହ ଅଭିଯୁକ୍ତ ବା ବର୍ତ୍ତମାନର କାମାକ୍ଷାନଗର ଆରଆଇ ଶ୍ରୀ ପ୍ରଧାନଙ୍କୁ ଆଜି କାମାକ୍ଷାନଗରୁ ଉଠାଇଆଣି ଥାନାରେ ପଚରାଉଚରା ଚାଳାଇଛି । ସମ୍ପୃକ୍ତି ଜଣାପଡ଼ିବା ପରେ ପରବର୍ତ୍ତି କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ସୂତ୍ରରୁ ଜଣାଯାଇଛି ।





