ନିଶ୍ଚିତକୋଇଲି, (ବାଘୁଆବାର୍ତ୍ତା): ପ୍ରେମ, ପ୍ରତାରଣା, ଧୋକା ଏବଂ ଶେଷରେ ଆତ୍ମହତ୍ୟା । ପ୍ରେମରେ ଧୋକା ଓ ସୋସିଆଲ ଆପତ୍ତିଜନକ ଭିଡିଓ ଭାଇରାଲ ପରେ ନିଜ ହ୍ବାଟ୍ସଆପ୍ ରେ “The end” ଲେଖି ଜୀବନ ହାରିଲେ ଜଣେ ଯୁବତୀ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ନିଶ୍ଚିନ୍ତକୋଇଲିରେ । ନର୍ସିଂ ଟ୍ରେନିଂ ନେଉଥିବା ଜଣେ ଯୁବତୀଙ୍କ ଫଟୋ ଭାଇରାଲ୍ ପରେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ନିଶ୍ଚିନ୍ତକୋଇଲି ୧୨ ନମ୍ବର ୱାର୍ଡରେ ଏହି ଅଘଟଣ ଘଟିଛି। ଯୁବତୀଙ୍କ ଆପତ୍ତିଜନକ ଫଟୋ ସେହି ଗାଁର ସୁଶୀଲ ସେଠୀ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଏହାପରେ ଯୁବତୀ ଜଣକ ନିଜ ଘରେ ଫ୍ୟାନ୍ ରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଯୁବତୀ ଜଣଙ୍କୁ ଗୁରୁତର ଅବସ୍ଥାରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। କଲେଜ ଯିବା ରାସ୍ତାରେ ସଂପୃକ୍ତ ଯୁବକ ଜଣଙ୍କ ତାଙ୍କ ଝିଅକୁ ହଇରାଣ କରୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଅଭିଯୁକ୍ତ ଯୁବକ ଏବେ ଫେରାର ଥିବା ଜଣାପଡ଼ିଛି।





