ରାମ ବନବାସରୁ ତାସ୍ ଖେଳ
ଭୂବନେଶ୍ୱର (ବାଘୁଆବାର୍ତ୍ତା ବ୍ୟୁରୋ) : ସାରା ବିଶ୍ୱରେ କରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଭାରତ ବର୍ଷରେ ଭୟ ଓ ଆତଙ୍କର ବାତାବରଣ ଦେଖାଯାଇଛି । ସେହିପରି ଭାବେ ଓଡ଼ିଶାରେ କରୋନାକୁ ନେଇ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର କରୋନାକୁ ନେଇ ନିଯୁକ୍ତି ଦେଇଥିବା ମୂଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀଙ୍କୁ ନେଇ ଉଠିଛି ଅନେକ ପ୍ରଶ୍ନ । ଗାଁରୁ ସହର, ସହରରୁ ଜିଲ୍ଲା, ଜିଲ୍ଲାରୁ ରାଜ୍ୟ, ରାଜ୍ୟରୁ ଦେଶ ଓ ଦେଶରୁ ବିଦେଶ ସବୁଠି ଚର୍ଚ୍ଚା ‘ଏହି ବାଗ୍ଚୀ କିଏ’? ଜଗନ୍ନାଥଙ୍କ ପାତେଳି ପ୍ରସଙ୍ଗ, ହାତୀ ମେଣ୍ଠା ପ୍ରସଙ୍ଗ, ଭକ୍ତ ସାଲବେଗ, ପୋକଡ଼ା ବାଇଗଣ, ରାମଚନ୍ଦ୍ରଙ୍କ ବନବାସ, ତାସ୍ ଖେଳ ଓ କରୋନା ପ୍ରସଙ୍ଗ କୁ ନେଇ ଚର୍ଚ୍ଚାରେ ବାଗ୍ଚୀ । ଅସ୍ୱାଭାବିକ ସମୟ, ଦମ୍ଭ ଓ ସାହସର ସହିତ କରୋନା ଲଢ଼େଇ ଚାଲିଥିବା ବେଳେ ଏହା ୧୯୬୫ ଓ ୧୯୭୪ ର ଭାରତ ପାକିସ୍ଥାନ ଲଢ଼େଇ ଠାରୁ ଭୟଙ୍କର ମନେ ହେଉଛି । ଏ ଯୁଦ୍ଧରେ ପ୍ରତିପକ୍ଷ ଏକ ଭୂତାଣୁ ଯାହାକୁ ଦେଖି ହୋଇନି କି ବାରି ହେଉନି । ସାମାଜିକ ଦୂରତା ହେଉଛି ଏକମାତ୍ର ଔଷଧ । ପ୍ରତ୍ୟେକ ଦିନ ଜନସାଧାରଣଙ୍କ ଆଗରେ କରୋନା ପ୍ରସଙ୍ଗରେ ବକ୍ତବ୍ୟ ରଖନ୍ତି ସୁବ୍ରତ ବାଗ୍ଚୀ । ମାସକୁ ଏକ ଟଙ୍କା ଦରମା ନେଉଥିବା ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଅଧକ୍ଷ ସୁବ୍ରତ ବାଗ୍ଚୀଙ୍କ କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ । କିଏ କହୁଛି ବଙ୍ଗାଳୀ ଏବଂ କିଏ କହୁଛି ଅଣ ଓଡ଼ିଆ । ପ୍ରକୃତରେ ସେ କିଏ? ତାଙ୍କର ଇତିହାସ କ’ଣ? ତାହା ପଢ଼ିଲେ ଆଶ୍ଚର୍ଯ୍ୟ ଲାଗିବ ।

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହରରେ ୧୯୫୭ ମସିହା ମେ’ ୩୧ ରେ ତାଙ୍କ ଜନ୍ମ । ବାପା ଗୋପାଳ ବାଗ୍ଚୀ ଓ ମାତା ଲାବଣ୍ୟ ପ୍ରଭା ଦେବୀଙ୍କ ୫ ପୁଅଙ୍କ ମଧ୍ୟରୁ ସୁବ୍ରତ ବାଗ୍ଚୀ ହେଉଛନ୍ତି ସାନ ପୁଅ । ଗୋପାଳ ବାଗ୍ଚୀ କୋରାପୁଟରେ ଜିଲ୍ଲା ନିୟୋଜନ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ସୁବ୍ରତ ବାଗ୍ଚୀ ଭୁବନେଶ୍ୱର ବି.ଜେ.ବି କଲେଜରେ ପାଠ ପଢ଼ି ଉତ୍କଳ ୟୁନିଭରସିଟିରେ ରାଜନୀତି ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଭାରତୀୟ ସେନାରେ ପାରାଚ୍ୟୁଟ ଓିଂଗ୍ରେ ତାଲିମ ନେଇ ଦିଲ୍ଲୀ ସାଧାରଣ ତନ୍ତ୍ର ଦିବସରେ ଶ୍ରେଷ୍ଠ ଏନ୍.ସି.ସି. କ୍ୟାଡେଡ୍ ଭାବେ ମନୋନୀତ ହୋଇ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ଠାରୁ ପୁରଷ୍କୃତ ହୋଇଥିଲେ । ୧୯୭୬ ମସିହାରେ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗରେ ତୃତୀୟ ଶ୍ରେଣୀ କର୍ମଚାରୀ ଭାବେ ଯୋଗ ଦେଇଥିଲେ । ଏକ ବର୍ଷ ପରେ ଉକ୍ତ ଚାକିରୀ ଛାଡ଼ି ମ୍ୟାନେଜମେଣ୍ଟ ତାଲିମ ନେଇଥିଲେ । ଏହା ପରଠାରୁ ତାଙ୍କ ଜୀବନରେ ଆସିଥିଲା ପରିବର୍ତ୍ତନ । ଉଇପ୍ରୋ, ଲୋସେଣ୍ଟ ପରି ସପ୍ଟୱେଆର କମ୍ପାନୀରେ ଯୋଗ ଦେଇଥିଲେ । ୧୯୯୯ ମସିହାରେ ମାଇନ୍ଟ୍ରି ନାମକ ସପ୍ଟୱେଆର କମ୍ପାନୀର ପ୍ରତିଷ୍ଠାତା ହୋଇ ଦେଶ ବିଦେଶରେ ଖୁବ୍ ଖ୍ୟାତି ଅର୍ଜନ କରିଥିଲେ । ୨୦୧୬ ମସିହାରେ ସେ ଏଥିରୁ ଅବସର ନେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଗ୍ଚୀଙ୍କୁ ରାଜ୍ୟ ଦକ୍ଷତା ବିକାଶ ଅଧକ୍ଷ ଭାବେ ନିଯୁକ୍ତି ଦେବା ସହ କ୍ୟାବିନେଟ୍ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ । ଶ୍ରୀ ବାଗ୍ଚୀ ଏହି ଦାୟିତ୍ୱ ନେବା ସହ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ମାସକୁ ମାତ୍ର ଏକ ଟଙ୍କା ଦରମା ନେବେ ବୋଲି ଘୋଷଣା କରିଥିଲେ ।

ପ୍ରକାଶ ଥାଉ କି, ସାରା ପୃଥିବୀରେ କରୋନାର ଭୟାବହତା ଲାଗି ରହିଥିବାବେଳେ ରାଜ୍ୟ ସରକାର ତାଙ୍କୁ କରୋନା ର ମୁଖ୍ୟ ମୁଖପାତ୍ର ଭାବେ ଦାୟିତ୍ୱ ଦେଇଛନ୍ତି । ଅର୍ଥନୀତି ଠାରୁ ମଣିଷ ଜୀବନ ବଡ଼ ବକ୍ତବ୍ୟ ରଖିବା ଜଣେ ସୁବକ୍ତା, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ନେତୃତ୍ୱ ନେବାର କ୍ଷମତା, ସୁସାହିତ୍ୟିକ ଭାବେ ପରିଚିତ । ତାଙ୍କ ରଚିତ ପୁସ୍ତକ ‘ଗୋ କିସ୍ ଦ ୱାଲଡ୍’, ଦ ପ୍ରଫେସନାଲ୍, ହାଇ ପ୍ରଫେସନାଲ୍, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ବହୁ ଖ୍ୟାତି ଅର୍ଜନ କରିଛି । ଛାତ୍ର ଜୀବନରୁ ଗାଁ ଚଳଣିରୁ ଆରମ୍ଭ କରି ଦେଶ ଓ ବିଦେଶର ବିଭିନ୍ନ ଅନୁଭୁତି ରହିଛି । ପ୍ରତ୍ୟେକ ଦିନ କରୋନାରୁ ମୁକ୍ତି ପାଇବା ପାଇଁ ଯେଉଁ ସନ୍ଦେଶ ଦେଇଛନ୍ତି ଏହା ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ । ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ଦେବୀ ପ୍ରସାଦ ବାଗ୍ଚୀଙ୍କର ଭାଇ ସୁବ୍ରତ ବାଗ୍ଚୀ ବୋଲି ଜଣାପଡ଼ିଛି ।






