ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ୍ଙ୍କ ଦ୍ୱାରା ଆଜି ଏକ ବେଆଇନ ଗଞ୍ଜେଇ ଚାଲାଣ ଘଟଣାରେ ଦୁଇ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଦଶବର୍ଷ ଲେଖାଏଁ ଜେଲ ଦଣ୍ଡ ସହ ଏକ ଲକ୍ଷ ଜୋରିମାନା ଆଦେଶ ଦିଆଯାଇଥିବା ଜଣାପଡ଼ିଛି । ସୂଚନାନୁସାରେ, ୨୦୧୬ ମସିହା ନଭେମ୍ବର ୧୧ ତାରିଖ ରାତିରେ ଏକ କାରରେ ଚାରି ଜଣ ଦୁର୍ବର୍ତ୍ତ ଗଞ୍ଜେଇ ଚାଲାଣ କରୁଥିବା ନେଇ ପୁଲିସ କାରକୁ ଜବତ କରିଥିଲା । ଏହି କାରରେ ଥିବା ତିନୋଟି ବ୍ୟାଗରୁ ୪୩ କିଲୋ ଗଞ୍ଜେଇ ଜବତ କରାଯାଇଥିବା ବେଳେ ପୁଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଭୁଲ ନମ୍ବର ଥିବା କାରକୁ ମଧ୍ୟ ଜବତ କରିଥିଲା । ଏହି ମାମଲା ନୟାଗଡ଼ ଅତିରିକ୍ତ ଜିଲ୍ଲା ଜକ୍ସଙ୍କ କୋର୍ଟରେ ବିଚାରଧିନ ରହିଥିବା ବେଳେ ରାଜ କୁମାର କୁଶିଆ ଏବଂ ସଂଜୀବ କୁମାର ଦେହୁରୀଙ୍କର ବିଚାର ଚାଲିଥିଲା । ସମସ୍ତ ସାକ୍ଷୀ, ତଦନ୍ତ କାରୀ ଅଧିକାରୀଙ୍କ ବୟାନ ଏବଂ ଉଭୟ ପକ୍ଷ ଓଳିଲଙ୍କ ଯୁକ୍ତିକୁ ତଜ୍ଜମା କରି ଅତିରିକ୍ତ ଜିଲ୍ଲା ଜଜ୍ ଉଦୟଭାନୁ ଜେନା ରାଜ ଏବଂ ସଂଜୀବଙ୍କୁ ଦଶବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇବା ସହ ଏକ ଲକ୍ଷ ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ୬ମାସ ଜେଲ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ଅନୱର ମଲ୍ଲିକ ପରିଚାଳନା କରୁଥିଲେ ।






