ରାୟଗଡ଼ା, (ବାଘୁଆବାର୍ତ୍ତା): ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଦୁଡୁକାବାଲ ପଞ୍ଚାୟତ ଅନ୍ତର୍ଗତ କାଳିଆପଡ଼ା ଘାଟିରେ ଆଜି ଭୋରରୁ ବନ୍ଧୁକ ମୁନରେ ଲୁଟ ଉଦ୍ୟମ ହୋଇଛି। ଉତ୍କଳ ଆଲୁମିନା କମ୍ପାନୀରୁ ଆଲୁମିନା ପାଉଡର ବୋଝେଇ ଗୋଟିଏ ଟ୍ରକ୍ ବିଶାଖାପାଟଣା ଯାଉଥିବା ବେଳେ ଘଟିଛି ଅଘଟଣ। ଟ୍ରକ୍ଟି ରାସ୍ତାରେ ଯାଉଥିବା ବେଳେ ଟିକିରି ଥାନା ଅଞ୍ଚଳ କାଳିଆପଡ଼ା ଘାଟି ପାଖରେ ଖରାପ ହୋଇ ଯାଇଥିଲା। ଗାଡ଼ିଟି ସେଠାରେ ଛିଡ଼ା ହୋଇଥିବାରୁ ୫ ରୁ ୬ ଜଣ ଦୁର୍ବୃତ୍ତ ଲୁଟ ପାଇଁ ଉଦ୍ୟମ କରିଥିଲେ। ସେମାନେ ଗାଡ଼ିର ଡୋର ଭାଙ୍ଗି ଡ୍ରାଇଭରଙ୍କୁ ଲୁଟ କରିବାକୁ ଉଦ୍ୟମ କରିଥିଲେ। ଏଥିରେ ବିଫଳ ହେବାରୁ ଦୁର୍ବୃତ୍ତମାନେ ତାଙ୍କୁ ଗୁଳିମାଡ଼ କରି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ଗୁଳିମାଡ଼ରେ ଡ୍ରାଇଭର ରମେଶ ଘଡ଼େଇ ଗୁରୁତର ଆହତ ହୋଇଛନ୍ତି। ରମେଶଙ୍କ ନୟାଗଡା ଜିଲ୍ଲାରେ ବୋଲି ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ଟିକିରି ପୁଲିସ ଆହତ ଡ୍ରାଇଭର ରମେଶଙ୍କୁ ଉଦ୍ଧାର କରି ଉଷାପଡ଼ା ସ୍ଥିତ ଉତ୍କଳ ଆଲୁମିନା ମେଡିକାଲରେ ଭର୍ତ୍ତି କରିଛି। ତାଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ରହିଛି। ଆହତ ଡ୍ରାଇଭର ରମେଶ କହିଛନ୍ତି, “ରାତି ପ୍ରାୟ ୨ଟା ବେଳେ ଗାଡ଼ି ଖରାପ ହୋଇଯାଇଥିଲେ। ଏହାପରେ ଗୋଟିଏ ଖାଲି ଗାଡ଼ି ଆସିଥିଲା। ଭଲ ଲାଗୁ ନଥିବାରୁ ଖାଲି ଗାଡ଼ିର ଡ୍ରାଇଭର ଓ ମୁଁ ଶୋଇ ପଡ଼ିଥିଲୁ। ଆମେ ଶୋଇଥିବା ବେଳେ ରାତି ପ୍ରାୟ ୨.୩୦ରେ ୬ ଜଣ ଦୁର୍ବୃତ୍ତ ଆସିଥିଲେ। ପାଟିତୁଣ୍ଡ ଶୁଭିବାରୁ ଖାଲି ଗାଡ଼ି ଡ୍ରାଇଭର ସେଠାରୁ ପଳାଇଥିଲା। ମୁଁ ଡୋର ଲକ୍ କରି ଭିତରେ ରହିଥିଲି। ତେବେ ସେମାନେ ଡୋର ଲକ ଭାଙ୍ଗି ଦେଇଥିଲେ। ସେମାନଙ୍କ ହାତରେ ୪ଟି ବନ୍ଧୁକ ଓ ୨ଟି ଖଣ୍ଡା ରହିଥିଲା। ମୁଁ ଗୋଟିଏ ରଡ୍ ଧରି ସେମାନଙ୍କ ଉପରକୁ ଡେଇଁ ପଡ଼ିଥିଲି। ଏହାପରେ ଜଙ୍ଗଲ ଭିତରକୁ ଦୌଡ଼ିବା ବେଳେ ମୋତେ ଜଣେ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲା। ଗୁଳି ମୋ ଗୋଡ଼ରେ ବାଜିବାରୁ ମୁଁ ଗୋଟିଏ ଗଛ ମୂଳେ ଲୁଚି ଯାଇଥିଲି। ଏହାପରେ ସେମାନେ ମୋତେ ଖୋଜିଥିଲେ। ହେଲେ ଅନ୍ଧାରରେ ନ ପାଇବାରୁ ସେଠାରୁ ପଳାଇଥିଲେ।” ପୁଲିସ୍ ଘଟଣାର ଯାଞ୍ଚ କରୁଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ସମ୍ପର୍କରେ କୌଣସି ତଥ୍ୟ ହାସଲ କରିପାରି ନାହିଁ।






