ସୋର, (ବାଘୁଆବାର୍ତ୍ତା): ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଲା ବାଇକ୍। ଦୁଇ ଗୁରୁତର। ରାଣୀତାଲ-କୁପାରୀ ରାସ୍ତା ଚନ୍ଦନପୁର ଠାରେ ବିଳମ୍ବିତ ରାତିରେ ନିର୍ମାଣଧୀନ ପୋଲ ଖାଲରେ ଦୁଇ ଜଣ ବାଇକ୍ ଆରୋହୀ ଖସିପଡ଼ିଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନାନୁଯାୟୀ, ଶନିବାର ବିଳମ୍ଵିତ ରାତିରେ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଡା ଗ୍ରାମର ଶୁଭାଶିଷ ରାୟ ଓ ଦୁଃଖିରାମ ମହାନ୍ତି ଜଳଙ୍ଗ ତେଲ ଟାଙ୍କିରୁ ତେଲ ପକାଇ ଫେରୁଥିବା ଵେଳେ ପୋଲ ପାଇଁ ଖୋଳାଯାଇଥିବା ଗାତରେ ଖସି ଚେତାଶୁନ୍ୟ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମବାହିନୀକୁ ଖବର ଦେଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସିମୁଳିଆ ପରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ ପୋଲ ପାଖରେ ଦୀର୍ଘ ଦିନ ଧରି ନିର୍ମାଣକାମ ଚାଲିଥିବାରୁ ଏଠାରେ ବାରମ୍ଵାର ଦୁର୍ଘଟଣା ଘଟୁଛି। ତେଣୁ ଖୁବ୍ ଶୀଘ୍ର ପୋଲ ନିର୍ମାଣ କାର୍ୟ୍ୟ ସାରିବାକୁ ସର୍ବସାଧାରଣରେ ଦାବି ହୋଇଛି।






