ବୌଦ୍ଧ, (ବାଘୁଆବାର୍ତ୍ତା): ମାଟି ତଳୁ ବାହାରୁଛି ରତ୍ନ ପଥର । ବନ୍ଧ ଖନନ ବେଳେ ମିଳୁଛି ରତ୍ନ ପଥର । ରତ୍ନ ପଥର ସବୁ ବୋହି ନେବା ପାଇଁ ଲାଗିଛି ଲୋକଙ୍କ ପ୍ରବଳ ଭିଡ। ଏହା ହେଉଛି ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ଅନ୍ତର୍ଗତ ଶଗଡା ପଂଚାୟତ ର ସରଧାପାଲି ଗ୍ରାମର ଘଟଣା । ସୂଚନା ଅନୁଯାୟୀ ବୌଦ୍ଧ ବ୍ଲକ ପକ୍ଷରୁ ଶରଧାପାଲି ଗ୍ରାମରେ ମନରେଗା ଯୋଜନାରେ ବନ୍ଧ ଖନନ ହେଉଥିବା ସମୟରେ ଶ୍ରମିକ ମାନେ ବିଭିନ୍ନ ପ୍ରକାର ର ରତ୍ନ ପଥର ଦେଖିବାକୁ ପାଇଥିଲେ। ଏହି ଘଟଣା ପ୍ରଚାର ହେବା ପରେ ଶହଶହ ଲୋକ ସେଠାକୁ ଯାଇ ମାଟି ଖୋଲିବାରେ ଲାଗି ପଡିଛନ୍ତି । ସେଠାରେ ପ୍ରବଳ ଭିଡ ଲାଗିରହିଛି । ଅନେକ ଲୋକ ବିଭିନ୍ନ ପ୍ରକାରର ରତ୍ନ ପଥର ପାଇ ଲକ୍ଷାଧିକ ଟଙ୍କାରେ ବିକ୍ରିକରି ଲାଭବାନ ହୋଇଥିବା ଖବର ମିଳିଛି। ତେବେ ଉକ୍ତ ସ୍ଥାନକୁ କେତେକ ବ୍ୟକ୍ତି ନିଜ କବ୍ଜାରେ ରଖି କେବଳ ନିଜ ବିଶ୍ୱସ୍ଥ ଲୋକଙ୍କୁ ସେଠାକୁ ଛାଡୁଥିବା ଜାଣିବାକୁ ମିଳିଛି। ଦୁଇଦିନ ହେବ ସେଠାରେ ଉକ୍ତ ରତ୍ନ ପଥର ପାଇଁ ଭିଡ଼ ଲାଗି ରହିଛି। ତେବେ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପୋଖରୀ ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି କରାଯାଇଛି।






