
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମଧୁବାନ ଗାଁରେ ଜନ୍ମଗ୍ରହଣ କରିଥିବା ଶୁଭ୍ରାଂଶୁ ବିଶ୍ୱାଳ କଥା, ସାହିତ୍ୟ ଜଗତର ଏକ ନୂଆମୁହଁ । ସେ ସମ୍ବାଦ ‘କଥା’ ପୁରସ୍କାର ସହ ବହୁ ଅନୁଷ୍ଠାନ ଦ୍ୱାରା ସମ୍ବଦ୍ଧିତ ହୋଇ ନୟାଗଡ଼ ଜିଲ୍ଲାପାଇଁ ଗର୍ବ ଓ ଗୈାରବ ଆଣି ଦେଇଛନ୍ତି । ‘ମହକ’ ଶୁଭ୍ରାଂଶୁଙ୍କର ଏକ ନିଆରା ତଥା ଚର୍ଚ୍ଚିତ ଗପ । ଆଜି ପିତୃ ଦିବସ ଅବସରରେ ପାଠକଙ୍କ ପାଇଁ ଏହା ସମର୍ପିତ ।
ଫୋନ ଦେଖିବା ବେଳକୁ ବାପଙ୍କ ମିସଡ୍ କଲ ।
ବାପା ପଇସା ପଠାଇବା ଲାଗି ଫୋନ କରିଥିବେ ନିଶ୍ଚେ । ନୂଆ ଆସିଛି । ଠିକଣାଟା ବା’ କୋଉ ଜାଣିଛନ୍ତି ? ସେ କଥା ପଚାରିଥିବେ ।
ମୁଁ ଫୋନ ଲଗାଏ ।
ହଁ,…. ବାପା ।
ଆରେ କ’ଣ କରୁଥିଲୁ?
ପଢୁଥିଲି ।
ଖାଇଥିଲୁ କେତେବେଳେ?
ଏଇ ସଞ୍ଜ ଆଗରୁ ।
କଲେଜ ଯାଇଥିଲୁ?
ହଁ ।
ପଢ଼ା ହେଲା?
ହଁ ।
ବାପା କିଛି କହିଲେନି । ନିରବ ରହିଲେ । ମୁଁ ମନେମନେ ଭାବୁଥାଏ, କାଇଁ ପଇସାପତ୍ର କଥା କିଛି ଉଠଉ ନାହାନ୍ତି । ଦେଢ଼ମାସ ହେବ ଆସିବାର । ଆସିବାବେଳେ ଦି’ହଜାର ଟଙ୍କା ଦେଇଥିଲେ । ପୁôରୀ ସହର, ଦି’ହଜାର କେତେ? ଘରଭଡ଼ା ବାବଦକୁ ହଜାରେ ଯାଇଛି । ଦେଢ଼ମାସର ମେସ୍ ଖର୍ଚ୍ଚ ହେଇ ବଳକା ଟଙ୍କା ପ୍ରାୟ ସରି ଆସିଲାଣି । ଧାର ଉଧାର କରି କଲେଜ ସେମିନାର ଫିସ୍ଟା ଦେଇଦେଇଛି । ବାପା ପଠେଇବେ ପଠେଇବେ କହି ପନ୍ଦର କୋଡିଏ ଦିନ ଗଲାଣି ।
ମୁଁ ଧିରସ୍ୱରରେ ଡାକିଲି, ବାପା…..!
ବାପା ହଡବଡ଼େଇଲେ; ହଁ…ହଁ… କହ…ହ…ହ.. ଶୁଣୁଚି ।
ବୋଉ କ’ଣ କରୁଛି?
ମୁଁ ଘରେ ନାହିଁ, ଗାଁ ବାହାରକୁ ଆସିଛି । ଏଇଟିକେ ଆଗରୁ ହାଣ୍ଡିଶାଳେ ବସିଥିଲି । ପରିବା କାଟୁଥିଲା କି, କ’ଣ । ରୋଷେଇ କରିବାକୁ ଗଲେ ତୋରି କଥା । ପୁଅ କ’ଣ କରୁଥିବ? ପୁଅ କ’ଣ ଖାଇଥିବ । ଦିହ ପା’ କେମିତି ଥିବ? ସବୁବେଳେ । ଦି’ ଦିନ ହେଲା ଲଗେଇଚି, ପୁଅକୁ ଟିକେ ଫୋନ କର ଫୋନ କର । ଫୋନରେ ତ ପାଇସା ନାଇ । କ’ଣ ହେଇଛି କେଜାଣି ଦି’ଥର ଦଶ ଦଶ ପକେଇଲି; କଟିଯାଉଛି ତେଣୁ ପକେଇନି । ସେତେବେଳେ ଲଗଉ ଲଗଉ ଆପଣାଛାଏଁ ଲାଗିଗଲା । ତୁ ତ ଉଠେଇଲୁନି । ତୋ ବୋଉ କଥାହବ ବୋଲି ଅନେଇଥିଲା ।
ପଢୁଥିଲି ତ ଆଉ ଫୋନ ଆଡେ ନଜର ଦେଇନି ।
ଭାବୁଥିଲି ପଇସା କଥାଟା ଉଠେଇବି । ସେତିକି ବେଳକୁ ବାପା ପଚାରିଦେଲେ, ପାଖରେ ପଇସାପତ୍ର କେତେ ଅଛି? ପଠେଇବି ପଠେଇବି ହେଇ ପଠେଇପାରୁନି । ରେଳ ଲାଇନ ଟଙ୍କାଟା ମିଳିବ ମିଳିବ ହେଇ ମିଳୁନି । ପନ୍ଦରଦିନ ହେଲା ଦଉଡୁଚି । ଏ ଅଫିସର୍ରୁ ସେ ଅଫିସର୍ କେହି ଶୁଣୁନାହାନ୍ତି । ଆଜି ଆସ କାଲି ଆସ କହି ଛେଇକିମାଙ୍କଡ କରୁଛନ୍ତି । କହିଛନ୍ତି ତ ପୂଜା ଆଗରୁ ମିଳିଯିବ ବୋଲି । ସେତେବେଳେ ଆସିଲେ ଅଧିକା କିଛି ନେଇଯିବୁ । ଯଦି ଅସୁବିଧା ହେଉଛି କହ; କାହାଠୁ ଧାରଉଧାର କରି ପଠେଇଦେବି । ଟଙ୍କା ମିଳିଲେ ସୁଝି ଦବାନି ।
ବାପାଙ୍କ କଥାପରେ ମୋର କିଛି କହିବାର ନଥିଲା । ବାପାଙ୍କୁ ଟିକେ ହାଲକା କରିଦବାକୁ କହିଲି, ନାଇ, ସେତେ କିଛି ଜରୁରୀ ନାହିଁ । ଘରଭଡାଟା ଦେଇ ଦେଇଚୁ । ଆରମାସକୁ ଦେଖାଅଛି । ଡାଲି ଚାଉଳ ଯାହା ଆଣିଥିଲି ଆହୁରି ପନ୍ଦରଦିନ ଯିବ । ସାଙ୍ଗପିଲାଟା ଭାରି ଭଲ । ପରିବା କିଣା ପାଇଁ ଟଙ୍କାପତ୍ର ଦେଉଛି । ଜରୁରୀ ଦରକାର ପଡିଲେ ମୁଁ ଏଠି ହାତଉଧାରି କରିଦେଇଥିବି । ପରେ ଆଣି ସୁଝିବି । ତମେ ବ୍ୟସ୍ତ ହୁଅନି ।
ଏଥର ଫୋନ ରଖିଲି ।
ବହିଥାକରେ ବାପାବୋଉଙ୍କ ବନେ୍ଧଇ ଫଟୋ । ତାକୁ ଦେଖି ଭାବିବାକୁ ଲାଗିଲି, ବାପାଙ୍କର କେତେ ଧର୍ଯ୍ୟ । ଆମ ମାନଙ୍କ କଥା ବୁଝିବୁଝି ସେ କେବେ ଥକିପଡି ନାହାନ୍ତି । ଚାଷରେ କୋଉବର୍ଷ ବଢି ତ କେବେ ମରୁଡି । ଫସଲଫନ୍ଦା କଥା ନକହିବା ଭଲ । ନାନା ରୋଗ, ସେଥିକୁ ନାନା କୀଟନାଶକ; ଅଥଚ ରୋଗପୋକ ଏତେ ବଢିଗଲେଣି ଯେ, ଯାହା କଲେ ଯିବେନି । ସେଥିରୁ କେତେ ବା ମିଳୁଛି? ଘରଟା ଯାକର ଖର୍ଚ୍ଚ । ବନ୍ଧୁବାନ୍ଧବ, ସଙ୍ଗାତ ମଇତର କି ଗୋଛେ । କାହା ବାହାଘର, କାହା ଝିଅ ଜନ୍ମଦିନ, ମଲାମଉଡିଆ ହେଇ ମାସକୁ ଦି’ଚାରିଟା ବେଭାର ଥୟ । ସ୍ୱଳ୍ପ ରୋଜଗାର ଲୋକଟା କେତେ କୁଆଡୁ ମେଳେଇବ? ଆମ ଦି’ଭାଇଙ୍କ ପାଠପଢାରେ ଯେତେସବୁ ଖର୍ଚ୍ଚ । ବର୍ଷ ନପୁରୁଣୁ ଆଡମିସନ, ରି-ଆଡମିସନ । ମାସ ନପୁରୁଣୁ ଟ୍ୟୁସନ ଫି, ମୋର ମେସ ଖର୍ଚ୍ଚ, ସାନର ହଷ୍ଟେଲ ଖର୍ଚ୍ଚ । ବୋଉ ଦେହ ମାସକୁ ପନ୍ଦର ଦିନ ଖରାପ । ତାକୁ ଡାକ୍ତରଖାନା, ତା ପାଇଁ ଔଷଧ ଖର୍ଚ୍ଚ । ଯାବତୀୟ ଚିନ୍ତା ବାପାଙ୍କ ମୁଣ୍ଡରେ । ଥରେଥରେ ସେ ଭୁଲିଯାଆନ୍ତି ନିଜକଥା । ଆମ ସମସ୍ତଙ୍କ କଥା ବୁଝିବୁଝି ବର୍ଷକରେ ହଳକୁ ଦି’ହଳ ଜାମାପଟା କରିବାକୁ ରାଜି ହେବେନି । କହିଲେ, କହିବେ; ମୁଁ କୁଆଡେ ଯାଉଛି ଯେ ମୋର ଜାମାପଟା ଲୋଡା? ହଳେ ଚିରିଲେ ଆଉ ହଳେ ସିଲେଇ କରିବା କଥା । ତମେ ବାହାରେ ବୁଲୁଛ, ପାଠ ପଢୁଛ, ଏତେ ଲୋକଙ୍କ ସହିତ ମିଶୁଛ । ତମେ କିଣି ପିନ୍ଧ । ବୋଉ ସେମିତି କେବେହେଲେ ଦାମୀକା ଲୁଗାଖଣ୍ଡେ କିଣିଦବାକୁ ଇଚ୍ଛା କରିଦେବନି ।
ୟାରି ଭିତରେ ବାର ଚଉଦ ଦିନ ବିତିଗଲାଣି ।
ମଝିରେ ମଝିରେ ବାପା ବୋଉଙ୍କ ସହ ଟେଲିଫୋନରେ କଥାହୁଏ । ଏଇ ପଢାପଢି, ଖିଆପିଆ କି ଦେହ ପା’ ବାବଦରେ, ପଇସାପତ୍ର କଥା ସେଦିନ ପରେ ଆଉ ଉଠିନି । ମଝିରେ ଦିନେ ବୋଉ କହୁଥୁଲା, ଗାଁ ଆଡେ ଟ୍ରେନ ଗଡିଲାଣି । ପୂଜାଛୁଟିରେ ଆସିଲେ ଟ୍ରେନ ଯୋଗେ ଆସିବାକୁ ସେ କହିଥିଲା ।
ବ୍ରିଟିଶ ଅମଳରୁ କଥା ଉଠିଥିଲା ଖୋର୍ଦ୍ଧା ରୋଡରୁ ବଲାଙ୍ଗିର ଟ୍ରେନ ଗଡିବ । ସତେବେଳର ସରକାର କୋଟି କୋଟି ସାରିବାକୁ ରାଜିଥିଲେ । ଜେଜେ ମୋର ଦିଅଁଦେବତା ହେଲେଣି, ତାଙ୍କରି ଅମଳରେ ଜାଗାମାପ ହେବା କଥା ବାପା କହୁଥିଲେ । ଅଥଚ ଏଇ ତିନି ଚାରି ବର୍ଷ ହେଲା କାମ ଆରମ୍ଭ ହେଇଛି । ସେ ଯା’ ହେଉ । ଏତେ ଦିନପରେ ଆମ ସହରକୁ ଟ୍ରେନ ଗଡିଲା । ୟା’ଠୁ ଖୁସି କଥା ଆଉ କଣ?
କାଲିଠୁ ଦଶହରା ଛୁଟି ।
ବାପାଙ୍କୁ ଫୋନ ଲଗାଇଲି ।
ହଁ… ବାପା ।
କହ,
କାଲିଠୁ ପୂଜା ପାଇଁ ଛୁଟି । ଗାଁକୁ ବାହରୁଛି । ଟ୍ରେନରେ ଯିବି ।
ହଉ ଆ । ମୁଁ ଯାଇ ଅପେକ୍ଷା କରିଥିବି ।
କିଛି ସମୟ ପାଇଁ ଦୁହେଁ ନିରବ ରହିଗଲୁ ।
ବାପା ଦୋହରେଇବା ପରି ପଚାରିଲେ, ଆଉ କିଛି କହିବୁ?
ମୋର କିଛି କହିବାକୁ ନଥିଲା । ହଠାତ ବାହାରି ଆସିଲା, ସେ ବିଲଟଙ୍କା କଥା କ’ଣ ହେଲା? ମିଳିଲାଣି ନା, ନାଇ?
ଆରେ ହଁ..ହଁ.., କଥାକଥାରେ ତତେ କହିବାକୁ ଭୁଲିଯାଇଛି? ବହୁ ଦଉଡାଧାପଡାରେ କାଲି ଟଙ୍କାଟା ମିଳିଲା । ଆମେ ଯୋଉ ଭାବୁଥିଲେ ବଡ ବିଲଟାଏ ତ ଚାରି ପାଂଚ ଲକ୍ଷ ମିଳିବ, ସେମିତି କିଛି ନାଇ । ସରକାରୀ ନିୟମ ଅନୁସାରେ ଅଢେଇ ଲକ୍ଷ ମିଳିଛି ।
ସେ ଟଙ୍କାରେ ଏବେ କ’ଣ ବୋଲି ଭାବୁଛ?
ଭାବିବାକୁ ଆଉ କ’ଣ ଅଛି ଯେ? ଭାତହାଣ୍ଡି ଖଣ୍ଡାକ ତ ହାତଛଡା ହେଇଗଲା । ଭାବିଚି ତମ ପଢାପାଇଁ କିଛି ରଖି ବଳକା ଟଙ୍କାରେ ଜମି ଦି’ମାଣ କିଣିଦେବା ।
ହେଲା ଯେ, ସେସବୁ କଥା ପଛେ । ଆଗେ ତୁମ ପାଇଁ ସାର୍ଟପ୍ୟାଣ୍ଟ ହଳେ ସିଲେଇବାକୁ ଦେବ । ତା’ ପରେ ଯୋଉକଥା ।
ଏତକ କହି ଫୋନ ରଖିଲି ।
ତା ପରଦିନ ।
ଷ୍ଟେସନରେ ପାଇବାବେଳକୁ ବାପା ଅପେକ୍ଷା କରିଥିଲେ ।
ବାପାଙ୍କୁ ପ୍ରଣାମ କରୁକରୁ ପଚାରିଦେଲି, ବାପା, ଏଠି ଆମ ଜମି କୋଉଟା?
ଅଳ୍ପହସି ବାପା କହିଲେ, ପୁରୁଷ ପୁରୁଷର ଜମି ଖଣ୍ଡାକ ଚିହ୍ନିଥା କହିଲି, ସେତେକ ହେଲାନି? ଏବେ ତ ଦି’ ଚାରି ମଣିଷର ମାଟି ପୋତି ହେଲାଣି । ନିଜେ ଦେଖି କହିଲୁ, କୋଉ ଜାଗାଖଣ୍ଡକ ଆମର?
ଚାରିଆଡକୁ ନଜର ଦେଉଦେଉ ଆଖି ସାମନାରେ ଥିବା ମହୁମାଣିକା ଆମ୍ବଗଛକୁ ଆଙ୍ଗୁଠି ଠାରି କହିଲି, ବାପା, ୟା ସିଧା ଆମ ବିଲ ଥିଲା ବୋଲି କହୁଥିଲ ନା? ତେବେ କ’ଣ…..
ବାପା ହସିଦେଲେ । ହଁ, ଏଇଟା ଆମ ବିଲ । ୟା’ରି ଛାତିରେ ଆମେ ଠିଆ ହେଇଛେ । ୟା’ରି ଉପରେ କେତେ ମାଟି ପୋତି ହେଲାଣି । କେତେ ଗାଡି ଗଡିଲାଣି । କେତେ ମଣିଷ ଗଲେଣି । ତଥାପି କ’ଣ ଏ ମାଟିରୁ ଗୁଡ଼ ବାସ୍ନା ମଉଳିଲାଣି?






