Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହକ

ଶୁଭ୍ରାଂଶୁ ବିଶ୍ୱାଳ

by ସଞ୍ଜୟ ସ୍ୱାଇଁ
June 20, 2021
in Feature News
ମହକ
465
VIEWS
Share on FacebookShare on Twitter

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମଧୁବାନ ଗାଁରେ ଜନ୍ମଗ୍ରହଣ କରିଥିବା ଶୁଭ୍ରାଂଶୁ ବିଶ୍ୱାଳ କଥା, ସାହିତ୍ୟ ଜଗତର ଏକ ନୂଆମୁହଁ । ସେ ସମ୍ବାଦ ‘କଥା’ ପୁରସ୍କାର ସହ ବହୁ ଅନୁଷ୍ଠାନ ଦ୍ୱାରା ସମ୍ବଦ୍ଧିତ ହୋଇ ନୟାଗଡ଼ ଜିଲ୍ଲାପାଇଁ ଗର୍ବ ଓ ଗୈାରବ ଆଣି ଦେଇଛନ୍ତି । ‘ମହକ’ ଶୁଭ୍ରାଂଶୁଙ୍କର ଏକ ନିଆରା ତଥା ଚର୍ଚ୍ଚିତ ଗପ । ଆଜି ପିତୃ ଦିବସ ଅବସରରେ ପାଠକଙ୍କ ପାଇଁ ଏହା ସମର୍ପିତ ।

ଫୋନ ଦେଖିବା ବେଳକୁ ବାପଙ୍କ ମିସଡ୍ କଲ ।
ବାପା ପଇସା ପଠାଇବା ଲାଗି ଫୋନ କରିଥିବେ ନିଶ୍ଚେ । ନୂଆ ଆସିଛି । ଠିକଣାଟା ବା’ କୋଉ ଜାଣିଛନ୍ତି ? ସେ କଥା ପଚାରିଥିବେ ।
ମୁଁ ଫୋନ ଲଗାଏ ।
ହଁ,…. ବାପା ।
ଆରେ କ’ଣ କରୁଥିଲୁ?
ପଢୁଥିଲି ।
ଖାଇଥିଲୁ କେତେବେଳେ?
ଏଇ ସଞ୍ଜ ଆଗରୁ ।
କଲେଜ ଯାଇଥିଲୁ?
ହଁ ।
ପଢ଼ା ହେଲା?
ହଁ ।
ବାପା କିଛି କହିଲେନି । ନିରବ ରହିଲେ । ମୁଁ ମନେମନେ ଭାବୁଥାଏ, କାଇଁ ପଇସାପତ୍ର କଥା କିଛି ଉଠଉ ନାହାନ୍ତି । ଦେଢ଼ମାସ ହେବ ଆସିବାର । ଆସିବାବେଳେ ଦି’ହଜାର ଟଙ୍କା ଦେଇଥିଲେ । ପୁôରୀ ସହର, ଦି’ହଜାର କେତେ? ଘରଭଡ଼ା ବାବଦକୁ ହଜାରେ ଯାଇଛି । ଦେଢ଼ମାସର ମେସ୍ ଖର୍ଚ୍ଚ ହେଇ ବଳକା ଟଙ୍କା ପ୍ରାୟ ସରି ଆସିଲାଣି । ଧାର ଉଧାର କରି କଲେଜ ସେମିନାର ଫିସ୍ଟା ଦେଇଦେଇଛି । ବାପା ପଠେଇବେ ପଠେଇବେ କହି ପନ୍ଦର କୋଡିଏ ଦିନ ଗଲାଣି ।
ମୁଁ ଧିରସ୍ୱରରେ ଡାକିଲି, ବାପା…..!
ବାପା ହଡବଡ଼େଇଲେ; ହଁ…ହଁ… କହ…ହ…ହ.. ଶୁଣୁଚି ।
ବୋଉ କ’ଣ କରୁଛି?
ମୁଁ ଘରେ ନାହିଁ, ଗାଁ ବାହାରକୁ ଆସିଛି । ଏଇଟିକେ ଆଗରୁ ହାଣ୍ଡିଶାଳେ ବସିଥିଲି । ପରିବା କାଟୁଥିଲା କି, କ’ଣ । ରୋଷେଇ କରିବାକୁ ଗଲେ ତୋରି କଥା । ପୁଅ କ’ଣ କରୁଥିବ? ପୁଅ କ’ଣ ଖାଇଥିବ । ଦିହ ପା’ କେମିତି ଥିବ? ସବୁବେଳେ । ଦି’ ଦିନ ହେଲା ଲଗେଇଚି, ପୁଅକୁ ଟିକେ ଫୋନ କର ଫୋନ କର । ଫୋନରେ ତ ପାଇସା ନାଇ । କ’ଣ ହେଇଛି କେଜାଣି ଦି’ଥର ଦଶ ଦଶ ପକେଇଲି; କଟିଯାଉଛି ତେଣୁ ପକେଇନି । ସେତେବେଳେ ଲଗଉ ଲଗଉ ଆପଣାଛାଏଁ ଲାଗିଗଲା । ତୁ ତ ଉଠେଇଲୁନି । ତୋ ବୋଉ କଥାହବ ବୋଲି ଅନେଇଥିଲା ।
ପଢୁଥିଲି ତ ଆଉ ଫୋନ ଆଡେ ନଜର ଦେଇନି ।
ଭାବୁଥିଲି ପଇସା କଥାଟା ଉଠେଇବି । ସେତିକି ବେଳକୁ ବାପା ପଚାରିଦେଲେ, ପାଖରେ ପଇସାପତ୍ର କେତେ ଅଛି? ପଠେଇବି ପଠେଇବି ହେଇ ପଠେଇପାରୁନି । ରେଳ ଲାଇନ ଟଙ୍କାଟା ମିଳିବ ମିଳିବ ହେଇ ମିଳୁନି । ପନ୍ଦରଦିନ ହେଲା ଦଉଡୁଚି । ଏ ଅଫିସର୍ରୁ ସେ ଅଫିସର୍ କେହି ଶୁଣୁନାହାନ୍ତି । ଆଜି ଆସ କାଲି ଆସ କହି ଛେଇକିମାଙ୍କଡ କରୁଛନ୍ତି । କହିଛନ୍ତି ତ ପୂଜା ଆଗରୁ ମିଳିଯିବ ବୋଲି । ସେତେବେଳେ ଆସିଲେ ଅଧିକା କିଛି ନେଇଯିବୁ । ଯଦି ଅସୁବିଧା ହେଉଛି କହ; କାହାଠୁ ଧାରଉଧାର କରି ପଠେଇଦେବି । ଟଙ୍କା ମିଳିଲେ ସୁଝି ଦବାନି ।
ବାପାଙ୍କ କଥାପରେ ମୋର କିଛି କହିବାର ନଥିଲା । ବାପାଙ୍କୁ ଟିକେ ହାଲକା କରିଦବାକୁ କହିଲି, ନାଇ, ସେତେ କିଛି ଜରୁରୀ ନାହିଁ । ଘରଭଡାଟା ଦେଇ ଦେଇଚୁ । ଆରମାସକୁ ଦେଖାଅଛି । ଡାଲି ଚାଉଳ ଯାହା ଆଣିଥିଲି ଆହୁରି ପନ୍ଦରଦିନ ଯିବ । ସାଙ୍ଗପିଲାଟା ଭାରି ଭଲ । ପରିବା କିଣା ପାଇଁ ଟଙ୍କାପତ୍ର ଦେଉଛି । ଜରୁରୀ ଦରକାର ପଡିଲେ ମୁଁ ଏଠି ହାତଉଧାରି କରିଦେଇଥିବି । ପରେ ଆଣି ସୁଝିବି । ତମେ ବ୍ୟସ୍ତ ହୁଅନି ।
ଏଥର ଫୋନ ରଖିଲି ।
ବହିଥାକରେ ବାପାବୋଉଙ୍କ ବନେ୍ଧଇ ଫଟୋ । ତାକୁ ଦେଖି ଭାବିବାକୁ ଲାଗିଲି, ବାପାଙ୍କର କେତେ ଧର୍ଯ୍ୟ । ଆମ ମାନଙ୍କ କଥା ବୁଝିବୁଝି ସେ କେବେ ଥକିପଡି ନାହାନ୍ତି । ଚାଷରେ କୋଉବର୍ଷ ବଢି ତ କେବେ ମରୁଡି । ଫସଲଫନ୍ଦା କଥା ନକହିବା ଭଲ । ନାନା ରୋଗ, ସେଥିକୁ ନାନା କୀଟନାଶକ; ଅଥଚ ରୋଗପୋକ ଏତେ ବଢିଗଲେଣି ଯେ, ଯାହା କଲେ ଯିବେନି । ସେଥିରୁ କେତେ ବା ମିଳୁଛି? ଘରଟା ଯାକର ଖର୍ଚ୍ଚ । ବନ୍ଧୁବାନ୍ଧବ, ସଙ୍ଗାତ ମଇତର କି ଗୋଛେ । କାହା ବାହାଘର, କାହା ଝିଅ ଜନ୍ମଦିନ, ମଲାମଉଡିଆ ହେଇ ମାସକୁ ଦି’ଚାରିଟା ବେଭାର ଥୟ । ସ୍ୱଳ୍ପ ରୋଜଗାର ଲୋକଟା କେତେ କୁଆଡୁ ମେଳେଇବ? ଆମ ଦି’ଭାଇଙ୍କ ପାଠପଢାରେ ଯେତେସବୁ ଖର୍ଚ୍ଚ । ବର୍ଷ ନପୁରୁଣୁ ଆଡମିସନ, ରି-ଆଡମିସନ । ମାସ ନପୁରୁଣୁ ଟ୍ୟୁସନ ଫି, ମୋର ମେସ ଖର୍ଚ୍ଚ, ସାନର ହଷ୍ଟେଲ ଖର୍ଚ୍ଚ । ବୋଉ ଦେହ ମାସକୁ ପନ୍ଦର ଦିନ ଖରାପ । ତାକୁ ଡାକ୍ତରଖାନା, ତା ପାଇଁ ଔଷଧ ଖର୍ଚ୍ଚ । ଯାବତୀୟ ଚିନ୍ତା ବାପାଙ୍କ ମୁଣ୍ଡରେ । ଥରେଥରେ ସେ ଭୁଲିଯାଆନ୍ତି ନିଜକଥା । ଆମ ସମସ୍ତଙ୍କ କଥା ବୁଝିବୁଝି ବର୍ଷକରେ ହଳକୁ ଦି’ହଳ ଜାମାପଟା କରିବାକୁ ରାଜି ହେବେନି । କହିଲେ, କହିବେ; ମୁଁ କୁଆଡେ ଯାଉଛି ଯେ ମୋର ଜାମାପଟା ଲୋଡା? ହଳେ ଚିରିଲେ ଆଉ ହଳେ ସିଲେଇ କରିବା କଥା । ତମେ ବାହାରେ ବୁଲୁଛ, ପାଠ ପଢୁଛ, ଏତେ ଲୋକଙ୍କ ସହିତ ମିଶୁଛ । ତମେ କିଣି ପିନ୍ଧ । ବୋଉ ସେମିତି କେବେହେଲେ ଦାମୀକା ଲୁଗାଖଣ୍ଡେ କିଣିଦବାକୁ ଇଚ୍ଛା କରିଦେବନି ।
ୟାରି ଭିତରେ ବାର ଚଉଦ ଦିନ ବିତିଗଲାଣି ।
ମଝିରେ ମଝିରେ ବାପା ବୋଉଙ୍କ ସହ ଟେଲିଫୋନରେ କଥାହୁଏ । ଏଇ ପଢାପଢି, ଖିଆପିଆ କି ଦେହ ପା’ ବାବଦରେ, ପଇସାପତ୍ର କଥା ସେଦିନ ପରେ ଆଉ ଉଠିନି । ମଝିରେ ଦିନେ ବୋଉ କହୁଥୁଲା, ଗାଁ ଆଡେ ଟ୍ରେନ ଗଡିଲାଣି । ପୂଜାଛୁଟିରେ ଆସିଲେ ଟ୍ରେନ ଯୋଗେ ଆସିବାକୁ ସେ କହିଥିଲା ।
ବ୍ରିଟିଶ ଅମଳରୁ କଥା ଉଠିଥିଲା ଖୋର୍ଦ୍ଧା ରୋଡରୁ ବଲାଙ୍ଗିର ଟ୍ରେନ ଗଡିବ । ସତେବେଳର ସରକାର କୋଟି କୋଟି ସାରିବାକୁ ରାଜିଥିଲେ । ଜେଜେ ମୋର ଦିଅଁଦେବତା ହେଲେଣି, ତାଙ୍କରି ଅମଳରେ ଜାଗାମାପ ହେବା କଥା ବାପା କହୁଥିଲେ । ଅଥଚ ଏଇ ତିନି ଚାରି ବର୍ଷ ହେଲା କାମ ଆରମ୍ଭ ହେଇଛି । ସେ ଯା’ ହେଉ । ଏତେ ଦିନପରେ ଆମ ସହରକୁ ଟ୍ରେନ ଗଡିଲା । ୟା’ଠୁ ଖୁସି କଥା ଆଉ କଣ?
କାଲିଠୁ ଦଶହରା ଛୁଟି ।
ବାପାଙ୍କୁ ଫୋନ ଲଗାଇଲି ।
ହଁ… ବାପା ।
କହ,
କାଲିଠୁ ପୂଜା ପାଇଁ ଛୁଟି । ଗାଁକୁ ବାହରୁଛି । ଟ୍ରେନରେ ଯିବି ।
ହଉ ଆ । ମୁଁ ଯାଇ ଅପେକ୍ଷା କରିଥିବି ।
କିଛି ସମୟ ପାଇଁ ଦୁହେଁ ନିରବ ରହିଗଲୁ ।
ବାପା ଦୋହରେଇବା ପରି ପଚାରିଲେ, ଆଉ କିଛି କହିବୁ?
ମୋର କିଛି କହିବାକୁ ନଥିଲା । ହଠାତ ବାହାରି ଆସିଲା, ସେ ବିଲଟଙ୍କା କଥା କ’ଣ ହେଲା? ମିଳିଲାଣି ନା, ନାଇ?
ଆରେ ହଁ..ହଁ.., କଥାକଥାରେ ତତେ କହିବାକୁ ଭୁଲିଯାଇଛି? ବହୁ ଦଉଡାଧାପଡାରେ କାଲି ଟଙ୍କାଟା ମିଳିଲା । ଆମେ ଯୋଉ ଭାବୁଥିଲେ ବଡ ବିଲଟାଏ ତ ଚାରି ପାଂଚ ଲକ୍ଷ ମିଳିବ, ସେମିତି କିଛି ନାଇ । ସରକାରୀ ନିୟମ ଅନୁସାରେ ଅଢେଇ ଲକ୍ଷ ମିଳିଛି ।
ସେ ଟଙ୍କାରେ ଏବେ କ’ଣ ବୋଲି ଭାବୁଛ?
ଭାବିବାକୁ ଆଉ କ’ଣ ଅଛି ଯେ? ଭାତହାଣ୍ଡି ଖଣ୍ଡାକ ତ ହାତଛଡା ହେଇଗଲା । ଭାବିଚି ତମ ପଢାପାଇଁ କିଛି ରଖି ବଳକା ଟଙ୍କାରେ ଜମି ଦି’ମାଣ କିଣିଦେବା ।
ହେଲା ଯେ, ସେସବୁ କଥା ପଛେ । ଆଗେ ତୁମ ପାଇଁ ସାର୍ଟପ୍ୟାଣ୍ଟ ହଳେ ସିଲେଇବାକୁ ଦେବ । ତା’ ପରେ ଯୋଉକଥା ।
ଏତକ କହି ଫୋନ ରଖିଲି ।

ତା ପରଦିନ ।
ଷ୍ଟେସନରେ ପାଇବାବେଳକୁ ବାପା ଅପେକ୍ଷା କରିଥିଲେ ।
ବାପାଙ୍କୁ ପ୍ରଣାମ କରୁକରୁ ପଚାରିଦେଲି, ବାପା, ଏଠି ଆମ ଜମି କୋଉଟା?
ଅଳ୍ପହସି ବାପା କହିଲେ, ପୁରୁଷ ପୁରୁଷର ଜମି ଖଣ୍ଡାକ ଚିହ୍ନିଥା କହିଲି, ସେତେକ ହେଲାନି? ଏବେ ତ ଦି’ ଚାରି ମଣିଷର ମାଟି ପୋତି ହେଲାଣି । ନିଜେ ଦେଖି କହିଲୁ, କୋଉ ଜାଗାଖଣ୍ଡକ ଆମର?
ଚାରିଆଡକୁ ନଜର ଦେଉଦେଉ ଆଖି ସାମନାରେ ଥିବା ମହୁମାଣିକା ଆମ୍ବଗଛକୁ ଆଙ୍ଗୁଠି ଠାରି କହିଲି, ବାପା, ୟା ସିଧା ଆମ ବିଲ ଥିଲା ବୋଲି କହୁଥିଲ ନା? ତେବେ କ’ଣ…..
ବାପା ହସିଦେଲେ । ହଁ, ଏଇଟା ଆମ ବିଲ । ୟା’ରି ଛାତିରେ ଆମେ ଠିଆ ହେଇଛେ । ୟା’ରି ଉପରେ କେତେ ମାଟି ପୋତି ହେଲାଣି । କେତେ ଗାଡି ଗଡିଲାଣି । କେତେ ମଣିଷ ଗଲେଣି । ତଥାପି କ’ଣ ଏ ମାଟିରୁ ଗୁଡ଼ ବାସ୍ନା ମଉଳିଲାଣି?

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!