
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକ ଅଧିନ ମର୍ଦ୍ଦରାଜପୁର ନୂଆସାହି ଓ ବରକୋଳି ଗ୍ରାମବାସୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟଣା ଘଟିଛି । ଖବରପାଇ ଖଣ୍ଡପଡ଼ା ପୋଲିସ ଘଟଣାସ୍ଥଳରେ ପହଁଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲେ ହେଁ ସ୍ଥାନୀୟ ଅଂଚଳରେ ଦିନତମାମ ଉତେଜନା ଲାଗିରହିଛି । ସୂଚନାନୁସାରେ, ଶୁକ୍ରବାର ରାତିରେ ମର୍ଦ୍ଦରାଜପୁର ନୂଆସାହି ବାସିନ୍ଦା ଗ୍ରାମକୁ ପାଣି ପାଇପ ଲାଇନ ସଂଯୋଗ କରୁଥିବା ବେଳେ ବରକୋଳି ଗ୍ରାମର କେତେକ ବ୍ୟକ୍ତି ସେଠାରେ ପହଁଚି ପାଇପଲାଇନ କାର୍ଯ୍ୟକୁ ବିରୋଧ କରି ପ୍ରଥମେ ପାଟିତୁଣ୍ଡ କରିଥିଲେ । ମାତ୍ର ବରକୋଳି ଗ୍ରାମବାସୀଙ୍କ କଥା ନଶୁଣି ନୂଆସାହି ବାସିନ୍ଦା ପାଣି ପାଇପ ଲାଇନ କାର୍ଯ୍ୟ ଚାଲୁ ରଖିବାରୁ ଏହି ଘଟଣାରେ କ୍ରୋଧାନ୍ୱିତ ହୋଇ ବରକୋଳି ଗ୍ରାମର ଶତାଧିକ ବ୍ୟକ୍ତି ଘଟଣାସ୍ଥଳରେ ପହଁଚି ନୂଆସାହି ବସ୍ତିବାସିନ୍ଦାଙ୍କ ଉପରକୁ ହଠାତ୍ ଟେକାପଥର ମାଡ଼ କରିଥିଲେ । ଟେକାପଥର ମାଡ଼ରେ ୧୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଘରର ଆଜବେଷ୍ଟସ ଛପର କଣା ହେବା ସହ ଗାଡ଼ିର କାଚ ଭାଙ୍ଗିବା ଓ ୫ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଥିବା ନୂଆସାହି ଗ୍ରାମବାସୀଙ୍କ ସୁତ୍ରରୁ ଜଣାପଡ଼ିଛି । ସେହିପରି ମର୍ଦ୍ଦରାଜପୁର ନୂଆସାହି ବାସିନ୍ଦାଙ୍କ ପ୍ରତି ଆକ୍ରମଣରେ ବରକୋଳି ଗ୍ରାମର କେତକ ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି । ପାଣି ପାଇପ ଲାଇନ ପାଇଁ ଖୋଳା ଯାଇଥିବା ଗାତକୁ ବରକୋଳି ଗ୍ରାମବାସୀ ଉଦ୍ଦେଶ୍ୟମୂଳକ ଭାବେ ଗଭୀର କରି ଖୋଳିଦେଇଥିବାରୁ ନୂଆସାହି ବାସିନ୍ଦା ଯାତାୟତ ନିମନ୍ତେ ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡିଛି । ସୂଚନାଯୋଗ୍ୟ ନୂଆସାହି ବସ୍ତିରୁ ଖଣ୍ଡପଡା-କଂଟିଲୋ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଏହି ଅସ୍ଥାୟୀ ରାସ୍ତାଦେଇ ଗ୍ରାମବାସୀମାନେ ଯିବାଆସିବା କରୁଥିଲେ । ପୋଲିସ ଉପସ୍ଥିତିରେ ନୂଆସାହି ବସ୍ତିକୁ ସଂଯୋଗ କରୁଥିବା ଅସ୍ଥାୟୀ ମୁଖ୍ୟ ରାସ୍ତାକୁ ବରକୋଳି ଗ୍ରାମବାସୀ ହାଣି ଦେଇଥିବା ନେଇ ନୂଆସାହି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ତେବେ ମର୍ଦ୍ଦରାଜପୁର ନୂଆସାହି ବାସିନ୍ଦାଙ୍କ ଲିଖିତ ଅଭିଯୋଗକ୍ରମେ ପୋଲିସ ବରକୋଳି ଗ୍ରାମର ୧୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ଅପରପକ୍ଷେ ବରକୋଳି ଗ୍ରାମବାସୀଙ୍କ ଅଭିଯୋଗକ୍ରମେ ନୂଆସାହି ବସ୍ତିର ୧୫ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ନାମରେ ଖଣ୍ଡପଡ଼ା ଥାନାରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି । ଉପରୋକ୍ତ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ନୟାଗଡ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟିଦେବାକୁ ସାଧାରଣରେ ଦାବିହେଉଛି ।






